ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୬
ସତର୍କତା ସଚେତନତା ସପ୍ତାହ–୨୦୨୬ ପାଳନ ଅବସରରେ ପୂର୍ବ ତଟ ରେଳପଥର ସତର୍କତା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ ଥିବା ପୂର୍ବ ତଟ ରେଳପଥ ମୁଖ୍ୟାଳୟରେ କର୍ମଶାଳା ଓ ସେମିନାର ଆୟୋଜନ କରାଯାଇଥିଲା। ସରକାରୀ ସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କର୍ମଶାଳାରେ ପୂର୍ବ ତଟ ରେଳପଥର ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଶ୍ରୀ ରାଜେଶ କୁମାର ଶେଖାୱତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସରକାରୀ କର୍ତ୍ତବ୍ୟ ସମ୍ପାଦନ ସମୟରେ ସାଧୁତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ୱର ଉଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହାର ପୂର୍ବଦିନ, ଅର୍ଥାତ୍ ୨୭ ଅକ୍ଟୋବର ୨୦୨୬ରେ, ଏକ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଉଦ୍ବୋଧନ ଦେଇଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଆଚାର୍ଯ୍ୟ ସରକାରୀ ସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କାର୍ଯ୍ୟସଂସ୍କୃତି ଗଠନ ଦିଗରେ ଯୋଗଦାନ ଦେବା ସହ ସାଧୁତାର ଉଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ସେ ରେଳ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
୨୦୨୬ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” (Probity for Prosperity) ରହିଛି। ଏହି ବିଷୟବସ୍ତୁ ଜନସାଧାରଣଙ୍କ ଆସ୍ଥା ସୁଦୃଢ଼ କରିବା, ସୁଶାସନକୁ ପ୍ରୋତ୍ସାହିତ କରିବା ଏବଂ ଦୁର୍ନୀତି ନିବାରଣ କ୍ଷେତ୍ରରେ ସାଧୁତା ଓ ନୈତିକ ଆଚରଣର ଗୁରୁତ୍ୱକୁ ପ୍ରତିଫଳିତ କରେ।
ଏହି ଦୁଇଟି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ରେଳ କର୍ମଚାରୀମାନଙ୍କ ମଧ୍ୟରେ ସତର୍କତା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ କର୍ତ୍ତବ୍ୟ ସମ୍ପାଦନ ସମୟରେ ନିରପେକ୍ଷତା, ପକ୍ଷପାତହୀନତା ଓ ଦାୟିତ୍ୱବୋଧ ବଜାୟ ରଖିବାକୁ ଉତ୍ସାହିତ କରିବା।
ଏହି କାର୍ଯ୍ୟକ୍ରମଗୁଡ଼ିକରେ ବିଭିନ୍ନ ବିଭାଗର ପ୍ରମୁଖ ବିଭାଗମୁଖ୍ୟ (PHOD), ସତର୍କତା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅନ୍ୟ ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
ଏଭଳି ପଦକ୍ଷେପ ମାଧ୍ୟମରେ ପୂର୍ବ ତଟ ରେଳପଥ ରେଳ ପ୍ରଶାସନରେ ସାଧୁତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ଏକ ନୈତିକ ଓ ଦୁର୍ନୀତିମୁକ୍ତ କାର୍ଯ୍ୟ ପରିବେଶ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଉଛି ।

