ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରାର ମାର୍ଗଦର୍ଶକ ହେଉଛି ଭାରତୀୟ ସମ୍ବିଧାନବାଲେଶ୍ୱର (ବ୍ୟାସବିହାର),
୨୬/୧୧/ ୨୦୨୬
ଭାରତୀୟ ସମ୍ବିଧାନ ଗ୍ରହଣ ଦିବସକୁ ସ୍ମରଣ କରିବା ସହ ଏହାର ମୂଳ ଆଦର୍ଶ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରାର ମହତ୍ତ୍ୱକୁ ମନେ ପକାଇବା ଉଦ୍ଦେଶ୍ୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ସମ୍ବିଧାନ ଗୌରବ ଦିବସ’ ପାଳିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ୱରର ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭାରତୀୟ ସମ୍ବିଧାନର ମହତ୍ତ୍ୱ ଓ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ।
ଭାରତର ସମ୍ବିଧାନର ଇତିହାସକୁ ଅବଲୋକନ କରିବା ସହ ସେ କହିଥିଲେ ଯେ, ସମ୍ବିଧାନ କେବଳ ଏକ ଆଇନଗତ ଦଲିଲ ନୁହେଁ, ଏହା ଜାତୀୟ ଏକତା, ସାମାଜିକ ସଦ୍ଭାବ ଓ ଦାୟିତ୍ୱବାନ ନାଗରିକତାର ମାର୍ଗଦର୍ଶକ। ବ୍ୟକ୍ତିଗତ ଓ ସାମୂହିକ ଜୀବନରେ ସମ୍ବିଧାନର ମୂଲ୍ୟବୋଧକୁ ବୁଝିବା ସହ ଏହାର ପାଳନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଛାତ୍ରଛାତ୍ରୀ ଓ ଯୁବପିଢ଼ି ନିଜର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ସହ ସମ୍ବିଧାନର ଆଦର୍ଶକୁ ଆପଣାଇ ଦେଶ ଗଠନରେ ସକ୍ରିୟ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅଭିରାମ ବିଶ୍ୱାଳ, ଭାରତୀୟ ସମ୍ବିଧାନର ଇତିହାସ ଓ ସାମ୍ପ୍ରତିକ ସମାଜରେ ସାମ୍ବିଧାନିକ ସଚେତନତାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ଏଥିସହ ସଂପୃକ୍ତ ଅନେକ ବ୍ୟକ୍ତିବିଶେଷଙ୍କ ଅବଦାନକୁ ଉଜ୍ଜୀବିତ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନାଗରିକ ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ଶିକ୍ଷା ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଉଲ୍ଲେଖ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ନିହାର ରଞ୍ଜନ ରାଉତ ଏବଂ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ମଧ୍ୟ ନିଜ ବକ୍ତବ୍ୟରେ ସାମ୍ବିଧାନିକ ସଚେତନତା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନମାନଙ୍କର ସମାଜରେ ଦାୟିତ୍ୱବୋଧ, ସଚେତନତା ସହ ସମାବେଶିତା ଓ ବିବିଧତା ପ୍ରତି ସମ୍ମାନ ଭାବନାକୁ ବୃଦ୍ଧି କରେ ବୋଲି କହିଥିଲେ।
କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ଯଶସ୍ୟା ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ଗୀତାଞ୍ଜଳି ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ରାଜଶ୍ରୀ ଦତ୍ତ ସମ୍ବିଧାନର ପ୍ରସ୍ତାବନା ପାଠ କରାଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ସାମ୍ପ୍ରତିକ ସମାଜରେ ସମ୍ବିଧାନର ପ୍ରାସଙ୍ଗିକତା ଉପରେ ନିଜ ନିଜର ମତ ରଖିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଷୟଭିତ୍ତିକ ନାଟକ ମାଧ୍ୟମରେ ସମ୍ବିଧାନର ଆଦର୍ଶ ଓ ଦୈନନ୍ଦିନ ଜୀବନରେ ଏହାର ଗୁରୁତ୍ୱକୁ ପ୍ରଦର୍ଶିତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଗବେଷିକା ଛାତ୍ରୀ ସୁଶ୍ରୀ ମେନକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

