ତିହିଡ଼ି, ୨୬.୧୧: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପେଣ୍ଡିଂ ହୋଇ ପଡି ରହିଥିବା ଦୁଇ ଦଫା ଦାବୀ ପୂରଣ କରାନଗଲେ ଆସନ୍ତା ଡିସେମ୍ବର ମାସ ୪ ତାରିଖ ଠାରୁ ବିଧାନସଭା ସମ୍ମୁଖରେ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଗୁଡିକ ମିଳିତଭାବେ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ହୋଇଛି । ଏନେଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଗୁରୁବାର ଅପରାହ୍ନରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଳିକଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଂଘର ଆବାହକ ଆଲୋକ କୁମାର ମଲ୍ଲିକ, ସଞ୍ଜୀବ ମହାନ୍ତି, ଚନ୍ଦନ ପ୍ରସାଦ ମଲିକ, ଅନନ୍ତ କୁମାର ବାରିକ୍, ତ୍ରିନାଥ ସେଠୀ, ରବୀନ୍ଦ୍ର ମଲ୍ଲିକ, ବିନି ମଲିକ୍, ସଂଯୁକ୍ତା ଜେନା, ସବିତାରାଣୀ ପଣ୍ଡା, ସକୁନ୍ତଳା ରାଉଳ, ସ୍ୱର୍ଣ୍ଣଲତା ଦୀକ୍ଷିତ, ବିକାଶ ଚନ୍ଦ୍ର ଜେନା, ଦେବବ୍ରତ ଶତପଥୀ, ପ୍ରଭାକର ମଲିକ, ଉମେଶ ସେଠୀ, ରାଜେନ୍ଦ୍ର କୁମାର ଦାସ, ସୁଶାନ୍ତ ସାହୁ, ରମାକାନ୍ତ ସାହୁ ଓ ସୁକୁଲ ମୁର୍ମୁ ପ୍ରମୁଖ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସୂଚନା ମୁତାବକ, ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଦୀର୍ଘଦିନର ବହୁ ପ୍ରତିକ୍ଷିତ, ଗତ ନିର୍ବାଚନ ପୂର୍ବରୁ ଏବଂ ଗତବର୍ଷ ଡିସେମ୍ବରରେ ଆନ୍ଦୋଳନର ପ୍ରତିଶୃତି ଅନୁଯାଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପେଣ୍ଡିଂ ଥିବା ଦୁଇ ଦଫା ଦାବୀକୁ ଯଥାଶିଘ୍ର ଘୋଷଣା କରିବା ଲାଗି ଦାବି କରାଯାଇଛି । ରାଜ୍ୟର ପ୍ରାଥମିକ ଶିକ୍ଷକ ସଂଘଗୁଡିକ ପକ୍ଷରୁ ଗତବର୍ଷ ଡିସେମ୍ବର ୫ ତାରିଖ ଠାରୁ ଗଣତାନ୍ତ୍ରିକ ଉପାୟରେ ଉକ୍ତ ଦାବୀ ପୂରଣ ନିମନ୍ତେ ନିୟମିତ ସାକ୍ଷାତ କରି ବିଫଳ ହେବାପରେ ଏପରି ଚରମ ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଦାବୀ ଗୁଡିକ ମଧ୍ୟରେ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ୍ ୯ ଅନୁଯାଇ ମୂଳ ବେତନ ୩୫,୪୦୦ ଟଙ୍କା ପ୍ରଦାନ କରିବା ଏବଂ ୨୦୦୧ ମସିହାରୁ ଅଦ୍ୟାବଧି କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା ସହିତ ନେସନାଲ ଇଂକ୍ରିମେଣ୍ଟପ୍ରଦାନ କରବା । ଏହା କରାଯାଇନଥିବାରୁ ପ୍ରାଥମିକ ଶିକ୍ଷକ ମହାସଂଘ ନିମ୍ନମତେ ପ୍ରୟାସ ଜାରି ରଖିଛି । ଗତବର୍ଷ ଡିସେମ୍ବରରେ ୫ ଦିନିଆ ଆନ୍ଦୋଳନରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ୭ ଦିନ ଭିତରେ ଦାବୀ ପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା । ୭ ଦିନ ପରେ ଦାବୀ ପୂରଣ ନ ହେବାରୁ ମହାସଂଘ ରାଜ୍ୟ ସରକାରଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତିମ ତାରିଖ ଦେଇଥିଲା । ଦାବୀ ପୂରଣ ନ ହେବାରୁ ଅପ୍ରେଲ ୮ ତାରିଖରୁ ଜୁନ ୬ ଦୀର୍ଘ ଦୁଇ ମାସ ମହାସଂଘ ଷ୍ଟିଅରିଂ କମିଟି ସଦସ୍ୟଗଣ ବିଧାନସଭା ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଗଣଧାରଣା ଚାଲୁଥିବା ସମୟରେ ଡଃ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହାଇ ଲେବୁଲ୍ ଏକ୍ସପର୍ଟ କମିଟି ସରକାରଙ୍କୁ ରିପୋର୍ଟ ଦାଖଲ କରିଥିଲେ । ଗଣଧାରଣା ଦୁଇମାସ ପର୍ଯ୍ୟନ୍ତ ଚାଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଉପସ୍ଥିତ ହୋଇ ଆଗାମୀ ମୌସୁମୀ ବିଧାନସଭା ଅଧିବେଶନରେ ଦାବୀ ପୂରଣ କରିବାର ପ୍ରତିଶୃତି ଦେବା ପରେ ଗଣଧାରଣା ସ୍ଥଗିତ ରହିଥିଲା । ମହାସଂଘ ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ସରକାରଙ୍କୁ ଅପେକ୍ଷା କରି ରହିଥିଲା କିନ୍ତୁ ମୌସୁମୀ ଅଧିବେଶନରେ ସରକାରଙ୍କ ଠାରୁ କୌଣସି ସକରାତ୍ମକ ବାର୍ତ୍ତା ମିଳି ନଥିଲା । ଏତେ ସବୁ ପରେ ମଧ୍ୟ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ୧୫ ପ୍ରସ୍ତାବ ଏବଂ ଶୀତକାଳୀନ ବିଧାନସଭା ଅଧିବେଶନ ଆଗତ ହେବା ପରେ ମଧ୍ୟ ସେମାନଙ୍କର ଦୁଇ ଦଫା ଦାବୀ ପୂରଣ ବିଷୟରେ ସମ୍ୟକ ସୂଚନା ମିଳିଲା ନାହିଁ । ଓଡ଼ିଶାର ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରତି ଏଭଳି ସାଂଘାତିକ ଅବହେଳା ପ୍ରତିବାଦରେ ଚଳିତ ଶୀତକାଳୀନ ବିଧାନସଭାରେ ନଭେମ୍ବର ମାସ ଶେଷ ସୁଦ୍ଧା ଯଦି ଦାବୀ ପୂରଣ ନ ହୁଏ, ତେବେ ଆସନ୍ତା ଡିସେମ୍ବର ମାସ ୪ ତାରିଖ (ଶୁକ୍ରବାର) ଠାରୁ ବିଧାନସଭା ସମ୍ମୁଖରେ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଗୁଡ଼ିକର ମିଳିତ ଆନ୍ଦୋଳନ ଆରମ୍ଭ କରାଯିବ । ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପେଣ୍ଡିଂ ଥିବା ସେମାନଙ୍କ ଦୁଇ ଦଫା ଦାବୀ କାର୍ଯ୍ୟକୁ ସମ୍ପୂର୍ଣ କରି ଯଥାଶୀଘ୍ର ଘୋଷଣା କରିବା ସହିତ ସରକାରୀ ଆଦେଶ(ଜିଓ) ବାହାର କଲେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘର ବ୍ଳକ, ଜିଲ୍ଲା ଓ ରାଜ୍ୟ ନେତୃତ୍ୱ ତଥା ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ପରିବାର ଚିରକୃତଜ୍ଞ ରହିବେ ବୋଲି ନିବେଦନ କରାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

