ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଦୀର୍ଘଦିନର ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆଜି ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ବାଲେଶ୍ୱରରେ ଏକ ସୁଦୃଢ଼ ଜଳ ନିଷ୍କାସନ ବ୍ୟବସ୍ଥା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଆଇଆଇଟି ରୁର୍କୀକୁ ଡ୍ରେନେଜ୍ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଟି ରୁର୍କୀକୁ କୁହାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ବାଲେଶ୍ୱର ସହର ସମେତ ସଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିବା ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ଏହି ଦୀର୍ଘଦିନର ସମସ୍ୟାକୁ ପ୍ରାଥମିକତା ଦେଇ ବିଧାୟକ ଶ୍ରୀ ଦତ୍ତ ବାରମ୍ବାର ବିଭିନ୍ନ ସ୍ତରରେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଇଆଇଟି ରୁର୍କୀ ଭଳି ଏକ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନର ବିଶେଷଜ୍ଞଙ୍କ ସହଯୋଗରେ ବୈଜ୍ଞାନିକ ପଦ୍ଧତି ଓ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଆଧାରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାର ମାର୍ଗ ପ୍ରଶସ୍ତ ହେବ। କେବଳ ତାତ୍କାଳିକ ପଦକ୍ଷେପ ନୁହେଁ, ବରଂ ଆଗାମୀ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଦୀର୍ଘମିଆଦୀ ଓ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ଗଢ଼ିତୋଳିବା ହେଉଛି ବିଧାୟକଙ୍କ ପ୍ରମୁଖ ଲକ୍ଷ୍ୟ। ଜଳବନ୍ଦୀମୁକ୍ତ ବାଲେଶ୍ୱର ଗଠନ ଦିଗରେ ସରକାରଙ୍କ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି।

