ଭଦ୍ରକ, ୧୫.୧୧ : ଭଦ୍ରକ ଜିଲ୍ଲା ତିହିଡିକୁ ମଦମୁକ୍ତ ଗଠନ କରିବା ଲାଗି “ସମାଜସେବୀ ମିଳିତ ମଞ୍ଚ” ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଉକ୍ତ ମିଳିତ ମଞ୍ଚରେ ତିହିଡି ବ୍ଲକର ୨୦ଟି ସାମାଜିକ ସଂଗଠନ ସାମିଲ ହୋଇଥିବା ଦର୍ଶାଯାଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୨୪୫୨ ତା ୧୭.୧୦.୨୦୨୬ ରିଖରେ ବିଜ୍ଞାପିତ ଅଞ୍ଚଳ ପରିଷଦର ୮ନମ୍ବର ୱାର୍ଡ଼ ଅନ୍ତର୍ଗତ ମଙ୍ଗରାଜପୁର ମୌଜାର ପ୍ଲଟ ନମ୍ବର ୧୨୯୫/୧୮୯୧ ଏବଂ ଖାତା ନମ୍ବର ୬୨୮/୩୮୯ ଓ ୬୨୮/୩୯୦ରେ ଏକ ଠିପି ଖୋଲା ମଦ ବାର୍ ଖୋଲାଯିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ସ୍ଥାନଟି ଚିହିଡ଼ି ବ୍ଳକ, ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣାଧୀନ ନୂତନ ଡାକ୍ତଖାନା ଓ ଚିକିଡ଼ି ମହାବିଦ୍ୟାଳୟର ସଜ୍ଜିକଟ ହୋଇଥିବାରୁ ସେଠାରେ ମଦ ବାର୍ ଖୋଲାଗଲେ ତାହା ରୋଗୀ, ଛାତ୍ରଛାତ୍ରୀ, ମହିଳା ଏବଂ ସାଧାରଣ ଜନତାଙ୍କର ସୁରକ୍ଷା ତଥା ସାମାଜିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଏପରି ଏକ ସମ୍ବେଦନଶୀଳ ବିଷୟକୁ ବିଚାରକୁ ନ ନେଇ ପ୍ରସ୍ତାବିତ ମଦ ବାର୍ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଯାହାକୁ ‘ସମାଜସେବୀ ମିଳିତ ମଞ୍ଚ, ତିହିଡ଼ି’ ଏହାକୁ ତୀବ୍ର ତିବ୍ର ବିରୋଧ କରୁଅଛି। ଏକ ସରକାରୀ କାର୍ଯ୍ୟକ୍ରମରେ ତିହିଡି ଗସ୍ତରେ ଆସିଥିବା ତିହିଡି ମାଟିର ପୁଅ ତଥା ଜନନାୟକ ଦିବଗଂତ ବିଷ୍ଣୁ ସେଠୀଙ୍କ ସୁଯୋଗ୍ୟ ସନ୍ତାନଭାବେ ଘଟଣାକୁ ସହୃଦୟତାର ସହିତ ଜନସାଧାରଣଙ୍କର ହିତକୁ ଦୃଷ୍ଟିରେ ରଖି ଉପରୋକ୍ତ ମଦ ବାର୍ ଖୋଲାଯିବା ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ‘ସମାଜସେବୀ ମିଳିତ ମଞ୍ଚ, ତିହିଡ଼ି’ର ଦୀପକ ସ୍ୱାଇଁ, ସତ୍ୟରଞ୍ଜନ ସାବତ, ଏସକେ ଲିୟାକତ, ରାଜୀବ କୁମାର ନାୟକ, ସତ୍ୟନାରାୟଣ ନାୟକ, ଆଶାଦୀପ ବାରିକ, ଉମାକାନ୍ତ ସାହୁ, ଜିତେନ୍ଦ୍ର ପାତ୍ର, ଅଶୋକ ନାୟକ ଓ କ୍ଷମାମୟ ପାଣ୍ଡବ ପ୍ରମୁଖ ଦାବୀ କରିଛନ୍ତି । ଏଠାରେ ସୂଚନା ଥାଉକି, ତିହିଡିରେ ପ୍ରସ୍ତାବିତ ମଦ ବାର୍କୁ ୧୫ ଦିନ ତଳେ ପ୍ରଥମେ ବିରୋଧ କରା ଯାଇଥିଲା ତିହିଡି ବ୍ଲକ ରାଜନଗର ପଞ୍ଚାୟତରେ ଆୟୋଜିତ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ । ସାଂପ୍ରତିକ ମଦୁଆଙ୍କ କବଳରୁ ବ୍ଲକର ସୁସ୍ଥ ସବଳ ବାତାବରଣ ନଷ୍ଟ ନକରିବା ଲକ୍ଷ୍ୟ ନେଇ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଅଭିଯୋଗ କରିଥିଲେ । ଏଥିସହ ସେଦିନ ତିହିଡି ଏନଏସିର ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଅଭିଯୋଗ ମାଧ୍ୟମରେ ବିରୋଧ କରିଥିଲେ ଏବଂ ପ୍ରଶାସନ ନମାନିଲେ ଆଗାମି ଦିନରେ ମହିଳାମାନେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନି ଦେଇଥିଲେ । ଏହାପରେ ତିହିଡି ବ୍ଲକ ତଥା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜୀବନଜ୍ୟୋତି ସେବା ସଂଗଠନ ଏବଂ ତାଙ୍କ ସହ ଗୋପବନ୍ଧୁ ସେବକ ସେନା ପକ୍ଷରୁ ବିଶାଳ ପଦଯାତ୍ରା ଜରିଆରେ ବଜାର ପରିକ୍ରମା କରାଯାଇ ବିଡିଓ, ଆଇଆଇସି, ତହସିଲଦାର ଓ ଅବକାରୀ ଥାନାଧିକାରୀଙ୍କ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଓ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ପୃଥକ ଭାବେ ମଦ ବାର୍ ବିରୋଧରେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି । ଏହାପରେ ତିହିଡି ବ୍ଲକର ଆଉ ଦୁଇଟି ସାମାଜିକ ସଂଗଠନ ତିହିଡି ଯୁବ ମଞ୍ଚ ଓ ଉତ୍କଳମଣି ସେବା ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାକୁ ନେଇ ସମସ୍ତ ସାମାଜିକ ସଂଗଠନ ସମ୍ମିଳୀତ ହୋଇ ଗତ ତା ୦୫.୧୧.୨୬ରିଖରେ ସମାଜସେବୀ ମିଳିତ ମଞ୍ଚ ନାମରେ ଏକ ସମ୍ବାଦଦାତା ସମ୍ମିଳନୀ ଜରିଆରେ ପ୍ରସ୍ତାବିତ ମଦ ବାର୍ ବିରୋଧରେ ଉଭୟ ପ୍ରଶାସନ ଓ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ପରେ ତଦନ୍ତ ଚାଲିଛି ଏବଂ ଏଯାବତ୍ କୌଣସି ନିଷ୍ପତି ନିଆ ଯାଇନଥିବା ଜଣାଯାଇଛି । ତେବେ ବେଳ ଥାଉଁ ଥାଉଁ ପ୍ରଶାସନ ଏଥିପ୍ରତି ସଜାଗ ହେବା ସହିତ ପ୍ରଶାସନ ନିଷ୍ପତି ପରିବର୍ତ୍ତନ କରିବାକୁ ଦାବୀ କରିଛନ୍ତି। ଏଠାରେ ସୂଚନା ଥାଉକି, ତିହିଡି ହେଉଛି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏପରିକି ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଭଳି ମହାନ୍ ପ୍ରତିଭାମାନେ ଜନ୍ମଗ୍ରହଣ କରି ଏହି ମାଟିର ଗୌରବାମଣ୍ଡିତ କରିଛନ୍ତି । ମାତ୍ର ସରକାର ଏବଂ ଜିଲ୍ଲା ପ୍ରଶାସନ ନୀତି ଯୋଗୁଁ ଆଜି ଏହି ସଂସ୍କୃତି ମାଟିରେ ମଦ ବାର ଖୋଲିବାକୁ ଯାଉଛି । ଯାହାକି ଆଗାମୀ ଯୁବପୀଢିଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଟାଣି ନେବ । ଯଦି ସରକାର ଓ ପ୍ରଶାସନ ପ୍ରସ୍ତାବିତ ମଦ ବାର୍ ଅନୁମୋଦନକୁ ବାଜ୍ୟାପ୍ତି ନକରନ୍ତି ତେବେ ଆଗାମୀ ଦିନରେ ଏହି ପ୍ରତିବାଦ ଆହୁରି ଉଗ୍ରରୂପ ନେବ ବୋଲି ‘ସମାଜସେବୀ ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆ ଯାଇଛି।

