ଭୁବନେଶ୍ୱର, ନଭେମ୍ବର ୧୫, ୨୦୨୬:
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ନିରୀକ୍ଷଣ କରି ରେଳ ପରିଚାଳନା, ସୁରକ୍ଷା, ଯାତ୍ରୀ ସୁବିଧା ଏବଂ ଷ୍ଟେସନରେ ଉପଲବ୍ଧ ମୌଳିକ ସୁବିଧାଗୁଡ଼ିକର ସମୀକ୍ଷା କରିଥିଲେ।
ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଷ୍ଟେସନର କ୍ରୁ ଲବି ପରିଦର୍ଶନ କରି ଲୋକୋ ପାଇଲଟ୍ ଏବଂ ସହାୟକ ଲୋକୋ ପାଇଲଟ୍ମାନଙ୍କ ସହ ଆଲୋଚନା କରିଥିଲେ। ସେ ରେଳ ପରିଚାଳନା ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ବିଶେଷକରି କୁହୁଡ଼ି ସମୟରେ ଦୃଶ୍ୟମାନତାର ସ୍ଥିତିକୁ ଆଧାର କରି ନିର୍ଦ୍ଧାରିତ ସିଗନାଲ୍ ନିୟମ ପାଳନ କରିବାକୁ ଲୋକୋ ପାଇଲଟ୍ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆଗାମୀ ଟ୍ରେନ୍ ସମ୍ପର୍କରେ ରେଳ ଫାଟକର ଗେଟମ୍ୟାନ୍ ଏବଂ ରାସ୍ତା ବ୍ୟବହାରକାରୀଙ୍କୁ ସତର୍କ କରାଇବା ପାଇଁ ବାରମ୍ବାର ହୁଇସିଲ୍ ବଜାଇବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ମହାପ୍ରବନ୍ଧକ ପ୍ଲାଟଫର୍ମ ସହିତ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ମଧ୍ୟ ନିରୀକ୍ଷଣ କରିଥିଲେ। ସେ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ମୌଳିକ ସୁବିଧା ଓ ବ୍ୟବସ୍ଥାଗୁଡ଼ିକର ସ୍ଥିତି ସମୀକ୍ଷା କରିଥିଲେ।
ଶ୍ରୀ ଫୁଙ୍କୱାଲ ଷ୍ଟେସନରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ଗୁଣବତ୍ତା ଯାଞ୍ଚ କରିଥିଲେ। ଯାତ୍ରୀମାନଙ୍କୁ ନିରାପଦ ଓ ସ୍ୱାସ୍ଥ୍ୟକର ପାନୀୟ ଜଳ ଯୋଗାଇଦେବା ପାଇଁ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ କଡ଼ାକଡ଼ି ପାଳନ କରିବା ସହ ନିୟମିତ ଜଳ ପରୀକ୍ଷା ଓ ନିରୀକ୍ଷଣ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ।

