କଟକ: : ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ପୁଣି ଏକ ଅଭିଯୋଗ । ଏଥର କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ । ଜେଲ୍ ରେ ଥିବା କଏଦୀଙ୍କୁ ମିଥ୍ୟା ଡ୍ରଗ୍ସ ମାମଲାରେ ଫସାଇବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏପରିକି ନିର୍ଦ୍ଦେଶ ନ ମାନିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ମଧ୍ୟ ସେ ଦାବି କରିଛନ୍ତି ।
ପ୍ରଦୀପ୍ତଙ୍କ ଅଭିଯୋଗ ଅନୁସାରେ, ତତ୍କାଳୀନ ଜେଲ୍ ଡିଜି ସୁଶାନ୍ତ ନାଥ ତାଙ୍କୁ କେତେକ କଏଦୀଙ୍କ ବିରୋଧରେ ଡ୍ରଗ୍ସ ମାମଲା ରୁଜୁ କରିବା ପାଇଁ ଚାପ ପକାଇଥିଲେ । କିନ୍ତୁ ସେ ଏଭଳି ନିର୍ଦ୍ଦେଶ ପାଳନ କରିନଥିଲେ । ଫଳରେ ତାଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ଝାରପଡ଼ା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ପ୍ରଦୀପ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ପୂର୍ବରୁ ମଧ୍ୟ ପ୍ରଦୀପ୍ତ କୁମାର ମହାଳିକ ଏହି ଘଟଣା ସମ୍ପର୍କରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍ ଡି ଭାବେ ବଦଳି କରାଯାଇଥିଲା । ଏବେ ପ୍ରଦୀପ୍ତ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏତଲା ପାଇବା ପରେ ପୋଲିସ ପୂରା ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
କଏଦୀଙ୍କୁ ଡ୍ରଗ୍ସ ମାମଲାରେ ଫସାଇବା ପାଇଁ ପ୍ରକୃତରେ ଚାପ ପକାଯାଇଥିଲା କି ନାହିଁ ଏବଂ ପ୍ରଦୀପ୍ତଙ୍କ ନିଲମ୍ବନ ପଛରେ କୌଣସି ପ୍ରତିଶୋଧମୂଳକ ଉଦ୍ଦେଶ୍ୟ ଥିଲା କି ନାହିଁ, ତାହା ତଦନ୍ତରୁ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପର୍କରେ ସୁଶାନ୍ତ ନାଥ କିମ୍ବା ସର୍ବେଶ୍ୱର ସାହୁଙ୍କ ପ୍ରତିକ୍ରିୟା ମିଳିନାହିଁ।

