ପୁଣି ବର୍ଷା ସୃଷ୍ଟି କଲା ବାଧା । ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ଆରମ୍ଭରେ ବିଳମ୍ବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ର ତୃତୀୟ ମୁକାବିଲାରେ ବର୍ଷା ଯୋଗୁଁ ଖେଳରେ ବିଳମ୍ବ ଘଟିଛି । ହାମିଲ୍ଟନ୍ ର ସେଡନ୍ ପାର୍କରେ ପ୍ରବଳ ବର୍ଷା ଲାଗିରହିବା କାରଣରୁ ଟସ୍ ବିଳମ୍ବ ହୋଇଥିଲା । ପରେ ବର୍ଷା ଥମିବା କ୍ଷଣି ଟସ୍ ଅନୁଷ୍ଠିତ ହୋଇଥିଲା ଏବଂ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ବର୍ଷା କାରଣରୁ ଖେଳକୁ ୪୦-୪୦ ଓଭରକୁ ହ୍ରାସ କରାଯାଇଛି । କିନ୍ତୁ ଟସ ପରେ ପୁଣି ବର୍ଷା ହୋଇଥିଲା । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ରେ ୨-୦ରେ ଆଗୁଆ ରହିଛି । ଏହି ତୃତୀୟ ମ୍ୟାଚ୍ ଜିତିବା ମାତ୍ରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରି ସିରିଜ୍ କବ୍ ଜା କରିନେବ ।
ଅନ୍ୟପକ୍ଷରେ, ଘରୋଇ ନ୍ୟୁଜିଲାଣ୍ଡ ଦଳ ପାଇଁ ଏହା ଏକ “କର ବା ମର” ମ୍ୟାଚ୍ । ଶୃଙ୍ଖଳାରେ ନିଜର ଆଶା ବଜାୟ ରଖିବା ପାଇଁ କିୱି ଦଳକୁ ଏହି ମ୍ୟାଚ୍ ଯେକୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ । ଶୁଭମନ ଗିଲ୍ ଙ୍କ ନେତୃତ୍ୱରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ବିଦେଶ ମାଟିରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ଏହି ମ୍ୟାଚ୍ ଜିତିଲେ ନ୍ୟୁଜିଲାଣ୍ଡ ମାଟିରେ ଭାରତର ପତିଆରା ଆହୁରି ମଜବୁତ ହେବ । ପ୍ରଥମ ଦୁଇଟି ମ୍ୟାଚ୍ ରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ୱିଙ୍ଗ୍ ଏବଂ ସିମ୍ ଅନୁକୂଳ ପରିସ୍ଥିତିରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଙ୍କ ଭଳି ଟପ୍-ଅର୍ଡର ବ୍ୟାଟରମାନେ ବଡ଼ ସ୍କୋର କରିବାରେ ସଂଘର୍ଷ କରିଛନ୍ତି
ଆଗକୁ ଟେଷ୍ଟ ଶୃଙ୍ଖଳା ଥିବାରୁ, ବରିଷ୍ଠ ବ୍ୟାଟରମାନେ ନିଜର ଲୟ ଫେରିପାଇବା ପାଇଁ ଏହି ମ୍ୟାଚ୍ ଏକ ଉପଯୁକ୍ତ ସୁଯୋଗ ପ୍ରଦାନ କରୁଛି । ନ୍ୟୁଜିଲାଣ୍ଡର ପାଣିପାଗ ଓ ପିଚ୍ ରେ ଭାରତୀୟ ସିମ୍ ବୋଲରମାନେ କିୱି ବ୍ୟାଟିଂ ଲାଇନ୍ ଅପ୍ କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ବର୍ଷା ପ୍ରଭାବିତ ପରିସ୍ଥିତିରେ ସେମାନଙ୍କର ଧାରାବାହିକ ପ୍ରଦର୍ଶନ ଏହି ମ୍ୟାଚ୍ ର ଫଳାଫଳ ନିର୍ଣ୍ଣୟ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ଦିନିକିଆ ଶୃଙ୍ଖଳା ପରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ । ଦିନିକିଆ ଶୃଙ୍ଖଳାକୁ ଏହି ତୃତୀୟ ମ୍ୟାଚ୍ ରେ ହିଁ ନିଜ ନାମରେ କରିନେଲେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହା ଟେଷ୍ଟ ମ୍ୟାଚ୍ ଗୁଡ଼ିକ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ ।

