ତିହିଡି, ୦୯.୧୧ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ପୁରୁଣା ବଜାରରେ ମା’ଶ୍ୟାମାକାଳୀଙ୍କ ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହେଉଅଛି । ଚଳିତ ବର୍ଷ ଡଐଇ ୭୭ ବର୍ଷରେ ପଦାର୍ପଣ କରିଛି । ଉତ୍ସବ ମୁଖର ହୋଇଛି ପୀରହାଟ ସମେତ ଆଖପାଖ ଅଞ୍ଚଳ । ସୁସଜ୍ଜିତ ତୋରଣ ସାଙ୍ଗକୁ ଉଜ୍ଜଳ ଆଲୋକମାଳା ବେଶ୍ ଆକର୍ଷଣୀୟ ହୋଇଛି । ଅମାବାଶ୍ୟ ରାତିରେ ପୂଜା ପରେ ସୋମବାର ସକାଳୁ ଶତାଧିକ ଦର୍ଶକ ଓ ଭକ୍ତଙ୍କ ସମାଗମ ମା’ଙ୍କ ପୀଠର ଶୋଭାବର୍ଦ୍ଧନ କରିଛି । ଏଠାରେ ମା’ ଶ୍ୟାମାକାଳୀ ଭାବେ ପୂଜା ପାଉଛନ୍ତି । ସାତ ଦିନ ଧରି ପର୍ଯ୍ୟାୟକ୍ରମେ ମା’କାଳୀଙ୍କ ତାରା ବେଶ, ଷୋଡଶୀ ବେଶ, ଭୁବନେଶ୍ୱରୀ ବେଶ, ଭୈରବୀ ବେଶ, ଛିନ୍ନମସ୍ତା ବେଶ, ଧୂମାବତୀ ବେଶ, ବଗଲା ବେଶ, ମାତଙ୍ଗୀ ବେଶ ଓ କମଳାବେଶ ହେବେ । ଏଥିସହ ପ୍ରବଚନ, ପାଲା, ଦାସକାଟିଆ ଓ ଅପେରା ପରିବେଷଣର କାର୍ଯ୍ୟକ୍ରମ ରହିିଛି । ଏଠାରେ ବଳି ପ୍ରଥା ପ୍ରଚଳନ ନଥିବା ବେଳେ ଆମିଷ ଭୋଗ ଲାଗିଥାଏ । ୧୯୪୯ ମସିହା ଠାରୁ ଏହି ପୂଜା ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ପୂର୍ବରୁ ସେଠାକାର ଲୋକେ ତିହିଡି ଶ୍ୟାମାକାଳୀ ଓ ଭଦ୍ରକକୁ ଦର୍ଶନ କରିବାକୁ ଯାଆନ୍ତି । ଏକଦା ତିହିଡିରେ କାଳୀପୂଜାରେ କିଛି କଥାକୁ ନେଇ କମିଟି ସହ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ତତ୍କଳୀନ ସ୍ୱର୍ଗତ ପରମାନନ୍ଦ ପାଣିଗ୍ରାହୀ, ବୈଷ୍ଣବ ମହାନ୍ତୀ, କାମଦେବ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସାହୁ, ନିଳମଣୀ ମହାନ୍ତି, ବଂଶୀଧର କର, ରାମଚନ୍ଦ୍ର ପାଢୀ, ସଚ୍ଚିଦାନନ୍ଦ ମିଶ୍ର, ଅପର୍ତ୍ତୀ କର, ଜ୍ୟୋତିଷ ମହାନ୍ତୀ, ଅଭିମନ୍ୟୁ ସାହୁ, ଭକ୍ତହରି ସାହୁ, ଶୁକଦେବ ବାରିକ୍ ଓ ବିଶିଷ୍ଟ ଶିକ୍ଷାବିତ୍ ଭାଗବତ ପ୍ରସାଦ କର, ପୟୋଧର ପାଢୀ ଓ ରାଧାଶ୍ୟାମ ମହାନ୍ତି ପ୍ରମୁଖ ପୀରହାଟ ପୁରୁଣା ବଜାରଠାରେ ମା’କାଳୀଙ୍କ ପୂଜା କରିବାକୁ ମନସ୍ତ କରିଥିଲେ । ପ୍ରଥମେ ଏକ ଧୂଳିଆ ଘରେ ମା’କାଳୀଙ୍କ ମୃଣୟୀ ମୂର୍ତ୍ତୀ ଯଥାବିଧିରେ ଆରମ୍ଭ ହୋଇଥିଲା । ଏହାର କିଛି ବର୍ଷ ପରେ ଶିକ୍ଷାବିତ୍ ଭାଗବତ ପ୍ରସାଦ କରଙ୍କ ପ୍ରଚେଷ୍ଟା ଓ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏଠାରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇ ମା’ ଶ୍ୟାମାକାଳୀଙ୍କ ପୂଜା ପାଳନ କରା ଯାଉଅଛି । ପ୍ରଥମେ ଏହି ଅଞ୍ଚଳରୁ ଗାଁ ଗଣ୍ଡାରୁ ସହାୟତା ଗ୍ରହଣ କରି ମା’କାଳୀଙ୍କ ପୂଜା ପରିଚାଳିତ ହେଉଥିବା ବେଳେ କିଛି ବର୍ଷ ହେଲା ପୀରହାଟ ପୁରୁଣା ବଜାରର ବ୍ୟବସାୟ କମିଟି ଏହାର ଦାୟିତ୍ୱ ନେଇଛନ୍ତି । ଚଳିତ ବର୍ଷ ସଭାପତି ଭାବେ ଅଭୟ କର, ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି, ମନ୍ମଥ ରାଉତ, କୃତ୍ତିବାସ ସାହୁ, ପ୍ରଫୁଲ ପାଢୀ, ବିଜୟ ସାହୁ, ବସନ୍ତ ନାୟକ, ଶରତ ପାଢୀ, ପ୍ରଭାକର କର, ଶିବଶଙ୍କର ପାଢୀ, ଅଜୟ ମହାନ୍ତି, ଭାଗିରଥି ମହାନ୍ତି, ଭାଗିରଥି ସାହୁ, ଦୁର୍ଯ୍ୟୋଧନ ବାରିକ, ପରମେଶ୍ୱର ମହାନ୍ତି, ପ୍ରଫୁଲ ବେହେରା, ସନାତନ ବୀର, ଜୟନ୍ତ ବାରିକ, ଗଙ୍ଗାଧର ପାଣ୍ଡବ, ଟୁନା ପାଣିଗ୍ରାହୀ, ଭାବଗ୍ରାହୀ ଓଝା, ମନମୋହନ ରାଉତ, ଶିବଶଙ୍କର ପାଢୀ, ଆଦିତ୍ୟ ପାଣ୍ଡବ ଓ ଭାଗିରଥି ବାରିକ ପ୍ରମୁଖ ପରିଚାଳନା କରୁଥିବା ବେଳେ ପୂଜକଭାବେ ସତ୍ୟରଞ୍ଜନ ମିଶ ଓ ଶ୍ୟାମସୁନ୍ଦର ମିଶ୍ର ଏବଂ କର୍ତ୍ତାଭାବେ ପ୍ରଦୀପ କର ଦାୟିତ୍ୱ ନିର୍ବାହ କରୁଛନ୍ତି । ମା’ଙ୍କ ମୃଣ୍ମଣୀ ମୂର୍ତ୍ତୀ ସହ ଆଧୂନିକ ଘଟଣାବଳି ମଧ୍ୟରେ “ନାବାଳିକା ଦୁଷ୍କର୍ମ ଓ ହତ୍ୟା ନ୍ୟାୟ ମିଳିବ କେବେ!” ଓ ପୌରାଣିକ କାହାଣୀ “ଶିବ ଗଣେଷ ଯୁଦ୍ଧ” ସାଂପ୍ରତିକ ସାମାଜିକ ପରିବର୍ତ୍ତନର ବାର୍ତ୍ତା ବହନ କରୁଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

