ଭୁବନେଶ୍ୱର: କେବଳ ଦିଲ୍ଲୀ ନୁହେଁ, ଦୀପାବଳି ପରେ ବିଷାକ୍ତ ହେଲା ଭୁବନେଶ୍ବରର ବାୟୁ । AQI ୧୨୦୦ ପାର୍ । ଭୁବନେଶ୍ୱରରେ ପ୍ରଦୂଷଣର ସାଂଘାତିକ ସ୍ଥିତି, କଟକ ସମେତ ଅନ୍ୟ ସହରର ବାୟୁର ମାନକୁ ନେଇ ଚିନ୍ତା । ଦୀପାବଳିର ଆଲୋକ ଓ ଆତସବାଜି ପରେ ଏବେ ବାୟୁ ପ୍ରଦୂଷଣକୁ ନେଇ ବଢ଼ିଛି ଚିନ୍ତା। ରବିବାର ରାତିରେ ବାଣ ଫୁଟାଇବା ପରେ ରାଜଧାନୀ ଭୁବନେଶ୍ୱରର ବାୟୁର ମାନ ସାଂଘାତିକ ଭାବେ ବିଗିଡ଼ିଛି । ଏପରିକି ଦୀପାବଳି ରାତିରେ ଦେଶର ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଥିଲା । AQI.inର ତଥ୍ୟ ଅନୁସାରେ ଗତକାଲି ରାତି ୯ଟାରେ ଭୁବନେଶ୍ୱରର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୧୦୯୧ରେ ପହଞ୍ଚିଥିଲା । ରାତି ସାଢ଼େ ୯ଟା ବେଳକୁ ଏହା ବଢ଼ି ୧୨୫୪ ହୋଇଥିଲା । ଫଳରେ ସେହି ସମୟରେ ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ପାଲଟିଥିଲା ଭୁବନେଶ୍ୱର। ଏହି ପ୍ଲାଟଫର୍ମରେ ବାୟୁର ମାନକୁ ‘ବିପଜ୍ଜନକ’ ଶ୍ରେଣୀରେ ରଖାଯାଇଥିଲା ।
ସେହିପରି ରାତି ୯ଟାରେ ଭୁବନେଶ୍ୱର ବାୟୁରେ PM2.5 କଣିକାର ମାତ୍ରା ପ୍ରତି ଘନମିଟରରେ ୬୨୨ ମାଇକ୍ରୋଗ୍ରାମ ଏବଂ PM10ର ମାତ୍ରା ୭୫୦ ମାଇକ୍ରୋଗ୍ରାମ ରେକର୍ଡ କରାଯାଇଥିଲା। ଏହି ସୂକ୍ଷ୍ମ ଧୂଳିକଣା ଶ୍ୱାସକ୍ରିୟା ମାଧ୍ୟମରେ ଶରୀରରେ ପ୍ରବେଶ କରି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଅନ୍ୟପଟେ ସୋମବାର ଭୋରରେ କଟକର ବାୟୁ ପ୍ରଦୂଷଣ ସ୍ତର ମଧ୍ୟ ଚିନ୍ତାଜନକ ରହିଥିଲା । Airleaf ପ୍ଲାଟଫର୍ମରେ ଆମେରିକୀୟ AQI ମାନଦଣ୍ଡ ଅନୁସାରେ ସକାଳ ସାଢ଼େ ୪ଟାରେ କଟକର AQI ୧୫୬ ରେକର୍ଡ କରାଯାଇଥିଲା । ସେହିପରି ବାଲେଶ୍ୱରରେ ସକାଳ ସାଢ଼େ ୫ଟାରେ AQI ୧୦୭ ରହିଥିଲା। ଏହି ତଥ୍ୟ ଦୁଇ ସହରର ବାୟୁ ପ୍ରଦୂଷଣ ସ୍ଥିତିକୁ ଦର୍ଶାଉଥିଲେ ମଧ୍ୟ ଦୀପାବଳି ପୂର୍ବ ଓ ପରର ସମାନ ସମୟର ତୁଳନାତ୍ମକ ତଥ୍ୟ ବିନା ପ୍ରଦୂଷଣ କେତେ ବଢ଼ିଛି ତାହା ସ୍ପଷ୍ଟ କରିହେବ ନାହିଁ । ଦୀପାବଳି ଅବସରରେ ରାଜ୍ୟରେ ରାତି ୭ଟାରୁ 9ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା । ତଥାପି ଭୁବନେଶ୍ୱରରେ ରାତି ୯ଟା ପରେ ମଧ୍ୟ ଅତ୍ୟଧିକ ପ୍ରଦୂଷଣ ରେକର୍ଡ ହୋଇଥିଲା । ବାୟୁ ପ୍ରଦୂଷଣର ଏଭଳି ସ୍ଥିତି ଶିଶୁ, ବୟସ୍କ ଏବଂ ଶ୍ୱାସରୋଗୀଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ। ତେଣୁ ଦୀପାବଳି ଉତ୍ସବ ପରେ ବାୟୁର ମାନ ଉପରେ ନଜର ରଖିବା ଜରୁରୀ ହୋଇପଡ଼ିଛି ।

