ତିହିଡ଼ି, ୨୨.୦୯: ବ୍ୟସ୍ତବହୁଳ ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିତ ସରକାରୀ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର କରିବା ଲାଗି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ବାରିକଙ୍କ ଅଭିଯୋଗ ମୂଳେ ହାଇକୋର୍ଟରେ ଗତ ତା ୨୨.୦୭.୨୬ରିଖ ଡବ୍ଲୁପି(ସି)(ପିଆଇଏଲ) ନମ୍ବର ୨୪୩୬ରେ ଏହା ଦାଏର ହୋଇଛି ଏବଂ ଖୁବ୍ ଶିଘ୍ର ଏହାର ଶୁଣାଣୀ ହେବାକୁ ଯାଉଛି ବୋଲି ସୂଚନା ମିଳିଛି । ଶ୍ରୀ ବାରିକଙ୍କ ସପକ୍ଷରେ ଆଇନ୍ଜୀବି ରବି ନାରାୟଣ ପଣ୍ଡା ଲଢୁଥିବା ଜଣାଯାଇଛି । ଜନବହୁଳ ତଥା ବ୍ୟସ୍ତ ବହୁଳ ତିହିଡି ସଦର ବଜାରରେ ଅବସ୍ଥାପିତ ସରକାରୀ ବିଦେଶୀ ମଦ ଦୋକାନ ସାଧାରଣ ଲୋକଙ୍କ ଜୀବନ ଯାପନରେ ପ୍ରମୁଖ ବାଧା ସୃଷ୍ଟି କରୁଛି । ତିହିଡି ବଜାରଟି ବ୍ଲକର ସଦର ମହକୁମା ଏବଂ ଏହା ଏନଏସିର ମାନ୍ୟତା ପାଇଁ କାର୍ଯ୍ୟକ୍ଷମ ମଧ୍ୟ ହେଉଛି । ଏଠାରେ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ କାର୍ଯ୍ୟାଳୟ ଅବସ୍ଥାପତି ହୋଇଛି । ତହସିଲ, ବ୍ଲକ, ଟ୍ରେଜେରୀ, ସବ୍ ରେଜିଷ୍ଟ୍ରାର, ଗ୍ରାମ ଉନ୍ନୟନ, ପାନୀୟ ଜଳ ଯୋଗାଣ, ବ୍ଲକ ଶିକ୍ଷାଧିକାରୀ, ଦୁଇଟି ହାଇସ୍କୁଲ, ତିହିଡି କଲେଜ, ପୋଷ୍ଟ ଅଫିସ୍, ବିଭିନ୍ନ ବ୍ୟାଙ୍କ ସମେତ ବହୁ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଅବସ୍ଥାପିତ ହୋଇଛି । ବ୍ୟାଙ୍କ ତଥା ବ୍ଲକ କାର୍ଯାଳୟକୁ ଆସୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ମହିଳା ଏବଂ ଓ ସ୍କୁଲ ଓ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମଦ୍ୟପମାନଙ୍କ ଶରବ୍ୟର ଶିକାର ହେଉଛନ୍ତି । ବୃଦ୍ଧ/ବୃଦ୍ଧା ବଜାର ଅତିକ୍ରମ କରିବା ବେଳେ ମଦ୍ୟପମାନଙ୍କ ମାହୋଲରେ ସତେ ଯେପରି ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ଅଧିକାଂଶ ସମୟରେ ମଦପିଇ ମତୁଆଲା ସାଜି କେତେକ ଉଦ୍ଭ୍ରାନ୍ତ ବ୍ୟକ୍ତି ବଜାର ହାଟରେ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି । ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହ କେତେକ ସ୍ଥଳରେ ନିଶାଗ୍ରସ୍ଥ ହୋଇ ରାସ୍ତାରେ ପଡୁଛନ୍ତି । ସେହିପରି ମଦ୍ୟପମାନେ ନିଜ ନିଜ ମଧ୍ୟରେ କଳିଗୋଳ କରିବା ସହ ମାରପିଟ୍ ମଧ୍ୟ ହେଉଛନ୍ତି । ଏହି ଝଗଡାଝାଣ୍ଟି ସମୟରେ ତୃତୀୟ ପକ୍ଷ ହସ୍ତକ୍ଷେପ କଲେ ପରିସ୍ଥିତି ଭୟାବହ ହେଉଛି ଏପରିକି ଟ୍ରାଫି୍କ ମଧ୍ୟ ଯାମ ହୋଇଯାଉଛି । ପୋଲିସର ଭୂମିକା ନଥିବା ପରି ଲାଗୁଥିବା ବେଳେ ପର୍ବପର୍ବାଣୀ ହେଉ ଅଥବା ସାପ୍ତାହିକ ହାଟପାଳି ଦିନ ଏହା ଉଗ୍ରରୂପ ଧାରଣ କରୁଛି । ତିହିଡି ଆସୁଥିବା ଲୋକେ ନାହିଁନଥିବା ସମସ୍ୟାରେ ସମ୍ମୁଖିନ ହେଉଥିବା ବେଳେ ଅହେତୁକ ଭାବେ ମଦ୍ୟପମାନଙ୍କ ଗାଳିଗୁଲଜର ଶିକାର ହେଉଛନ୍ତି । ଦୈନିକ ହଜାର ହଜାର ଲୋକଙ୍କ ସମାଗମରେ ସଦର ବଜାର ଫାଟି ପଡୁଥିବା ବେଳେ ମଦ ଦୋକାନ ସ୍ଥାନାନ୍ତର ଏହାର ଏକମାତ୍ର ବିକଳ୍ପ ବୋଲି ଶ୍ରୀ ବାରିକ ଗତ ୦୫.୦୨.୨୬ରିଖରେ ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ଅବକାରୀ ବିଭାଗର ଅଧିକାରୀଙ୍କୁ ଅବଗତ କରିଥିଲେ । ସେହିପରି ୧୯.୦୩.୨୬ରିଖରେ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ ଏବଂ ରାଜ୍ୟପାଳଙ୍କ ଦପ୍ତରରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥଲା ହେଲେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ବାଧ୍ୟ ହୋଇ ଶ୍ରୀ ବାରିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

