ତିହିଡି, ୧୭.୦୯: ଭଦ୍ରକ ଜିଲ୍ଲା ତିହିଡି ବଜାର ରାସ୍ତାର ମେଡିକାଲ ଛକ ଠାରୁ ପୁଣି ଥାନା ଯାଏଁ ଦୁଇ ପାର୍ଶ୍ୱରେ ଭିଡ଼ ଲଗାଇଥିବା ଉଠା ଦୋକାନୀଙ୍କୁ ଗୁରୁବାର ଏନ୍ଏସି ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି । ମାଜିଷ୍ଟ୍ରେଟ୍ ତଥା ତହସିଲଦାର ସୁବାଶିଶ ସାହୁଙ୍କ ଉପସ୍ଥିତିରେ ତିହିଡି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟୀତ୍ୱରେ ଥିବା ବିଡ଼ିଓ ନିରଞ୍ଜନ ବାରିକଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ ପ୍ରଶାସନ ସେମାନଙ୍କୁ ହଟାଇବା ସହିତ ପୁଣି ଦୋକାନ ଲଗାଇଲେ ଜୋରିମାନା ଦେବାକୁ ପଡ଼ିବ ବୋଲି ସେମାନଙ୍କୁ ତାଗିଦ କରିଛି । ସେହିପରି ବଜାର ରାସ୍ତାର ଉଭୟ ପାର୍ଶ୍ୱରେ କୌଣସି ଗାଡ଼ି ପାର୍କିଂ ନ କରିବାକୁ ମଧ୍ୟ ଏନ୍ଏସି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାସ୍ତା ନିର୍ମାଣ ବେଳେ ଏହି ଉଠାଦୋକାନୀ ମାନଙ୍କୁ ହଟା ଯାଇଥିଲା । ରାସ୍ତା ନିର୍ମାଣ ପରେ ପୁଣିଥରେ ସେମାନେ ବସିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଫଳରେ ସେମାନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ପୁନଶ୍ଚ ରାସ୍ତା ପାର୍ଶ୍ୱରୁ ହଟା ଯାଇଥିଲା । ମାତ୍ର କିଛି ଦିନର ବ୍ୟବଧାନରେ ପ୍ରଶାସନକୁ ବେଖାତିର କରି ପୁଣି ସେମାନେ ଦୋକାନ ଲଗାଇଲେ । ତେବେ କିଛି ମାସ ପୂର୍ବରୁ ରାସ୍ତା ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ହେବାରୁ ସେମାନଙ୍କୁ ସେଠାରୁ ହଟା ଯାଇଥିଲା । ଡ୍ରେନ୍ ନିର୍ମାଣ ପରେ ସେମାନେ ପୁଣି ଧୀରେ ଧୀରେ ସେଠାରେ ଦୋକାନ ଲଗାଇବା ଆରମ୍ଭ କରିଦେଲେ । ଫଳରେ ବଜାର ରାସ୍ତା ସଙ୍କୁଚିତ ହୋଇ ପଡ଼ିବା ସହିତ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ଧାରଣ କରିଥିଲା । ପ୍ରାୟ ସବୁ ବେଳେ ରାସ୍ତା ଏତେ ଭିଡ଼ ରହିଲା ଯେ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପୁଣି ସାଧାରଣ ଲୋକଙ୍କ ଯାଏଁ ଯାତାୟାତ ନେଇ ସମସ୍ୟାରେ ପଡ଼ିଲେ । ଆମ୍ବୁଲାନ୍ସ ମଧ୍ୟ ଯାତାୟତରେ ଭିଡର ଶିକାର ହେଉଥିଲା । ଇତି ମଧ୍ୟରେ ତିହିଡି ଏନଏସିର ମାନ୍ୟତା ପାଇଛି । ବଜାର ରାସ୍ତାର ଉଭୟ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ଅର୍ଥ ବି ମଞ୍ଜୁର ହୋଇ ସାରିଛି । ଏଭଳି ସ୍ଥିତିରେ ଏହି ଉଠା ଦୋକାନୀମାନଙ୍କୁ ରାସ୍ତା ପାର୍ଶ୍ୱରୁ ହଟା ଯିବା ଉଚିତ ପଦକ୍ଷେପ ବୋଲି ସାଧାରଣରେ ଆଲୋଚନା ହେଉଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

