ଭୁବନେଶ୍ୱର : ରାଜ୍ୟରେ ଆହୁରି ବର୍ଷିବ । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ଛତିଶଗଡ଼ ନିକଟରେ ସକ୍ରିୟ ରହିଛି । ଏହାସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ଦେଢ଼ କିମି ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଏଥିଯୋଗୁ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ଢଳି ରହିଛି ।
ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟ ରେ ବର୍ଷା ହେବାର ସମ୍ଭାବନା ରହିଛି ।୨୪ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହିତ ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର,କୋରାପୁଟ, କଳାହାଣ୍ଡି ମାଲକାନଗିରିରେ, ବଲାଙ୍ଗୀରି, ନୂଆପଡା ଓ ବରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଅବଶିଷ୍ଟ ୨୩ ଜିଲ୍ଲାରେ ବିଜୁଳି ଘଡଘଡି କିମ୍ବା ବ୍ରଜପାତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ଆସନ୍ତାକାଲି ଗଜପତି, ଗଞ୍ଜାମ,ପୁରୀ, ଖୋର୍ଦ୍ଧା, ନୟାଗଡ , କଟକ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ଵଲେଶ୍ୱର, ଯାଜପୁର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ପାଇଁ ସତର୍କତା ଜାରି କରାଯାଇଛି। ୧୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଟି ସ୍ଥାନରେ ଅତି ପ୍ରବଳ ବର୍ଷା ସତ୍ତ୍ବେ ଗଜପତିରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିର ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମିମି ବର୍ଷା ରେକର୍ଡ ହୋଇଛି । ଜୁନ ୧ ରୁ ଏଯାବତ ୧୨୫୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୧୦୨୮.୨ ମିଲିମିଟର । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୨ ପ୍ରତିଶତ ଅଧିକ ରହିଛି ।

