ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡ଼ି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ପରିସ୍ଥିତିକୁ ଦୃଷ୍ଟିରେରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।
କୋରାପୁଟରୁ ଓଡ୍ରାଫ ଟିମ ଆସି ମାଲକାନଗିରି ପହଞ୍ଚିଛନ୍ତି । ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଇ ପାରୁନଥିବା ବେଳେ ପୋଲ ନିକଟରେ ଅଟକି ରହିଛନ୍ତି । ଯାତ୍ରୀ ମାନଙ୍କୁ ସୁଖିଲା ଓ ରନ୍ଧା ଦେବା ଲାଗି ପଞ୍ଚାୟତ ତରଫରୁ ବ୍ୟବସ୍ତା କରାଯାଇଛି । ସେପଟେ କାଲିମେଳାରୁ ପଡ଼ିଆ ଯାତାୟାତ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ନଦୀ, ନାଳ ଓ ବିଭିନ୍ନ ଜଳାଶୟର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ସେପଟେ ବର୍ଷା ପାଇଁ ଆଜି ମାଲକାନଗିରିରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

