ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୭ ବର୍ଷ ପରେ ଭାରତରେ ପହଞ୍ଚିଛନ୍ତି । ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ । ଫଳରେ ଦୁଇ ଦେଶ ଭିତରେ ଥିବା ଅନେକ ତିକ୍ତତା ଦୂର ହେବ ବୋଲି ଜଣାପଡିଛି । ୬ ବର୍ଷ ପରେ ପୁଣିଥରେ ଚୀନରୁ ଦିଲ୍ଲୀକୁ ଉଡ଼ିବ ବିମାନ । ୨୧ ତାରିଖରୁ ଚାଇନା ସଦର୍ଣ୍ଣ ଏୟାରଲାଇନ୍ସ ଗୁଆଙ୍ଗଜୋ ଏବଂ ନୂଆଦିଲ୍ଲୀ ମଧ୍ୟରେ ନିୟମିତ ଯାତ୍ରୀବାହୀ ବିମାନ ସେବା ପୁନଃଆରମ୍ଭ କରୁଛି ।
୬ ବର୍ଷର ସ୍ଥଗିତାବସ୍ଥା ପରେ ଭାରତ ସହିତ ବିମାନ ସେବା ପୁନଃସ୍ଥାପନ କରିବାରେ ଏହା ପ୍ରମୁଖ ପଦକ୍ଷେପ । ଏହି ରୁଟ୍ ରେ ଦୈନନ୍ଦିନ ବିମାନ ଚଳାଚଳ କରିବ । ଫ୍ଲାଇଟ୍ CZ359 ଗୁଆଙ୍ଗଜୋରୁ ସ୍ଥାନୀୟ ସମୟ ଅପରାହ୍ନ ୩:୩୫ ରେ ବାହାରି ସନ୍ଧ୍ୟା ୭:୦୦ ରେ ଦିଲ୍ଲୀରେ ପହଞ୍ଚିବ । ଫ୍ଲାଇଟ୍ CZ360 ନୂଆଦିଲ୍ଲୀରୁ ଗୁଆଙ୍ଗଜୋ ଦିଲ୍ଲୀରୁ ରାତି ୮ଟା୨୦ ରେ ବାହାରି ପରଦିନ ସକାଳ ୪:୧୫ ରେ ପହଞ୍ଚିବ । ଏହି ସେବା ଆରମ୍ଭ ହେବା ପରେ ଏହି ଏୟାରଲାଇନ୍ସ ଦକ୍ଷିଣ ଏସିଆର ୮ଟି ଗୁରୁତ୍ୱପୂର୍ଣ୍ଣ ରୁଟ୍ ରେ ସପ୍ତାହକୁ ୧୦୦ ରୁ ଅଧିକ ବିମାନ ଚଳାଚଳ କରିବ । ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯାତ୍ରାକୁ ଅଧିକ ସହଜ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ, ସି ଜିନପିଙ୍ଗ ଶନିବାର ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ବେଜିଂରୁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ଚୀନ୍ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗତ କିଛି ବର୍ଷ ଧରି ସୀମା ବିବାଦ ଓ ଗଲୱାନ୍ ଘଟଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ରହିଥିଲା । ୨୦୨୦ର ଗଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ଦୂରତା ବଢ଼ିଥିଲା । କିନ୍ତୁ ୨୦୨୪ ପରେ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସିବା ଆରମ୍ଭ ହୋଇଛି ।
ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ ନେତା ସାମିଲ ହେଉଛିନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି । ସନ୍ଧ୍ୟା ସାଢେ ୭ଟାରେ ବ୍ରିକ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କ ଡିନର ପାର୍ଟି ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଭବ୍ୟ ଆୟୋଜନ କରିଛନ୍ତି ।

