ଅନୁଗୋଳ : ଅନୁଗୋଳ ପୋଲିସର ‘ମୋବାଇଲ୍ ରିଟର୍ଣ୍ଣ ମେଳା’ । ୪୦ ଲକ୍ଷ ଟଙ୍କାର ୧୬୦ଟି ଫୋନ୍ ହସ୍ତାନ୍ତର । ଲୋକାଭିମୁଖୀ ପୋଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ‘ମୋବାଇଲ୍ ରିଟର୍ଣ୍ଣ ମେଳା’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟ (DPO) ସମ୍ମିଳନୀ କକ୍ଷରେ ଏସ୍ପି ରାହୁଲ ଜୈନଙ୍କ ଅଧ୍ୟକ୍ଷତା ଓ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ₹୪୦ ଲକ୍ଷ ମୂଲ୍ୟର ୧୬୦ଟି ହଜିଯାଇଥିବା ମୋବାଇଲ୍ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । ଏହାକୁ ମିଶାଇ ଗତ ଦୁଇ ବର୍ଷରେ ୬ଟି ପର୍ଯ୍ୟାୟରେ ମୋଟ ₹୧.୭୦ କୋଟି ମୂଲ୍ୟର ୮୪୧ଟି ଫୋନ୍ ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି।
ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଜିଲ୍ଲାର ୪୮୦ ଜଣ ବରିଷ୍ଠ ନାଗରିକଙ୍କୁ ପୋଲିସ-ଭେରିଫାଏଡ୍ ଆଇଡେଣ୍ଟିଟି କାର୍ଡ ବଣ୍ଟନ କରାଯାଇଛି । ଅନ୍ୟପଟେ ସାଇବର ଠକେଇର ଶିକାର ହୋଇ ନାଲ୍କୋର ଜଣେ ଅବସରପ୍ରାପ୍ତ କର୍ମଚାରୀ ହରାଇଥିବା ₹୫ ଲକ୍ଷ ଟଙ୍କାକୁ ଅନୁଗୋଳ ସାଇବର ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଫଳତାର ସହ ଉଦ୍ଧାର କରି ଫେରସ୍ତ କରିଛି । ପୋଲିସର ଏହି ତତ୍ପରତା ସାଧାରଣ ଜନତାଙ୍କ ମଧ୍ୟରେ ବିଶ୍ୱାସ ଆହୁରି ବଢ଼ାଇଛି ।

