ଭୁବନେଶ୍ୱର : ବାଲେଶ୍ୱରରୁ ନନ୍ଦନକାନନ ଆସିଲେ ୫ ଓରାଙ୍ଗଉଟାନ୍। ଓଡ଼ିଶା ଆସିଲେ କେମିତି ? ଆରମ୍ଭ ହେଲା ତନାଘନା । କିଏ ଆଣିଲା ଏହି ବିରଳ ଜୀବ? ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ଚାଲିଛି ତଦନ୍ତ । ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ନନ୍ଦନକାନନ ଅଣାଯିବା ପରେ କ୍ବାରେଣଟାଇନରେ ରଖାଯାଇଛି । ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଓରାଙ୍ଗଉଟାନ୍ ଭାରତର ଜଙ୍ଗଲରେ ପ୍ରାକୃତିକ ଭାବେ ମିଳନ୍ତି ନାହିଁ । ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ହେଉଛି ଦକ୍ଷିଣ-ପୂର୍ବ ଏସିଆର Borneo ଓ Sumatra ଅଞ୍ଚଳର ବର୍ଷାବନ। ତେଣୁ ବାଲେଶ୍ୱରର ଏକ କାଜୁଆରିନା ଜଙ୍ଗଲରେ ଏକାଥରେ ୫ଟି ଓରାଙ୍ଗଉଟାନ୍ ମିଳିବାକୁ ସ୍ୱାଭାବିକ ବୋଲି ଧରାଯାଇପାରିବ ନାହିଁ । ବନ ବିଭାଗ ମଧ୍ୟ ଏହା ପଛରେ ମଣିଷର ହାତ ଥିବା ସନ୍ଦେହ କରୁଛି ।
ବାଲେଶ୍ୱରର ଭୋଗରାଇ ଅଞ୍ଚଳର ବିଚିତ୍ରପୁର ନିକଟ କାଜୁଆରିନା ଜଙ୍ଗଲରେ ଏହି ବିରଳ ଜୀବଗୁଡ଼ିକୁ ଠାବ କରାଯାଇଥିଲା । ଏମାନଙ୍କୁ କେହି ସେଠାରେ ଆଣି ଛାଡ଼ିଦେଇଥିଲେ କି ? ନା ଚୋରାଚାଲାଣ ସମୟରେ ଏମାନେ ଖସି ଯାଇଥିଲେ ? ତାହାର ତଦନ୍ତ ଚାଲିଛି । ବନ ବିଭାଗର ପ୍ରାଥମିକ ସନ୍ଦେହ ଅନ୍ତର୍ଜାତୀୟ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଆଡ଼କୁ ଯାଉଛି । ରାଜ୍ୟ ସରକାର ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଘଟଣାର ତଦନ୍ତ ପାଇଁ କହିଛନ୍ତି। ବାଲେଶ୍ୱର ଉପକୂଳର କେଉଁ ସ୍ଥାନରେ ଏହି ଓରାଙ୍ଗଉଟାନ୍ ଗୁଡ଼ିକୁ ଓହ୍ଲାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଜଣେ ବନ ଅଧିକାରୀ କହିଛନ୍ତି । ଫଳରେ ସମୁଦ୍ର ପଥରେ ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱର୍କ ଜରିଆରେ ଏମାନଙ୍କୁ ଓଡ଼ିଶା ଅଣାଯାଇଥିଲା କି ନାହିଁ, ତାହା ତଦନ୍ତର ଏକ ପ୍ରମୁଖ ଦିଗ ହୋଇଛି । ବିଭିନ୍ନ ଦିଗକୁ ନେଇ ଏବେ ତଦନ୍ତ କରାଯାଉଛି । ଓରାଙ୍ଗଉଟାନ୍ ଗୁଡ଼ିକ କେଉଁ ଦେଶରୁ ଆସିଲେ? କେଉଁ ରାସ୍ତାରେ ଭାରତରେ ପହଞ୍ଚିଲେ? ସମୁଦ୍ର ପଥ ବ୍ୟବହାର ହୋଇଥିଲା କି? ବାଲେଶ୍ୱରରେ କିଏ ଏମାନଙ୍କୁ ଛାଡ଼ିଲା? ଏହା ପଛରେ କୌଣସି ବଡ଼ ଇଣ୍ଟରନ୍ୟାସନାଲ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ନେଟୱର୍କ ରହିଛି କି ? ଏହି ସବୁ ପ୍ରଶ୍ନ ଏବେ ତଦନ୍ତ ଘେରରେ ।

