ବଣାଇ : ମହଙ୍ଗା ପଡ଼ିଲା ବାରହା ଶିକାର । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତ ଅଧୀନସ୍ଥ ଟୁକୁଡା ଗ୍ରାମର ତିନି ଜଣ ଶିକାରୀ ଜଙ୍ଗଲରେ ଶିକାର ପାଇଁ ଯାଇଥିଲେ । ଏହି ସମୟରେ ଜଣେ ଶିକାରୀକୁ ଗୁଳି ବାଜି ଗୁରୁତର ଆହତ ହୋଇଛି । ଟୁକୁଡା ଗ୍ରାମର ସମୀର ଲାମ୍ବଗା,ଅନିଲ ଡାଙ୍ଗ ଓ ଗୋବିନ୍ଦ କୁଜୁର । ସମସ୍ତେ ମିଶି ଟୁକୁଡା ଗ୍ରାମ ପାଖରେ ଥିବା (ଡୁମଲା ଟୁଙ୍ଗୁରୀ ) ଜଙ୍ଗଲକୁ ଗତ ୬ ତାରିଖ ଦିନ ବାରହା ଶିକାର ପାଇଁ ଯାଇଥିଲେ । ସମୀର ଲାମ୍ବଗା ଓ ଗୋବିନ୍ଦ କୁଜୁର ଗୋଟେ ପଟେ ବନ୍ଧୁକ ଧରି ଲୁଚିଥିବା ବେଳେ ଅନ୍ୟ ପଟରୁ ଅନିଲ ଡାଙ୍ଗ ଜଙ୍ଗଲୀ ବାରହା ଘଉଡ଼ାଇ ଆଣୁଥିଲେ । ସେହି ସମୟରେ ସମୀର ଲମ୍ବଗା ବାରହା ମାନଙ୍କୁ ଦେଖି ହାତରେ ଧରିଥିବା ବନ୍ଧୁକ ରୁ ଗୁଳି ଫୁଟାଇ ଥିଲେ । ଗୁଳି ଟି ଯାଇ ଅନିଲ ଡାଙ୍ଗଙ୍କ ଡାହାଣ ଜଂଘରେ ବାଜିଥିଲା ।
ଅନିଲ ତଳେ ପଡିଯିବା ପରେ ବହୁତ ଜୋରରେ ପାଟି କରିବାରୁ ଦୁଇଜଣ ସାଙ୍ଗ ଦୌଡ଼ି ଯାଇ ଦେଖିଲାବେଳକୁ ତାଙ୍କ ଜଙ୍ଘ ରକ୍ତ ଜୁଡୁବୁଡୁ ହୋଇପଡିଛି । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେଲକୁ ନେଇଥିଲେ । ଏହା ଗଛରୁ ପଡି ଏମିତି ହୋଇଛି ବୋଲି ଡାକ୍ତରଙ୍କୁ କହିଥିଲେ । ଅନିଲକୁ ଦେଖିବା ପରେ ଡାକ୍ତର ତାଙ୍କୁ ସଙ୍ଗେ ସଙ୍ଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇ ଥିଲେ । ଅନିଲକୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଅନିଲଙ୍କ ଜଙ୍ଘରେ ଗୁଳି ବାଜିଥିବା ଜାଣିଥିଲେ ଏବଂ ବ୍ରାହ୍ମଣୀ ତରଙ୍ଗ ଥାନାକୁ ଖବର ଦେଇଥିଲେ ।
ବ୍ରାହ୍ମଣୀ ତରଙ୍ଗ ପୋଲିସ ହସ୍ପିଟାଲରେ ପହଞ୍ଚି ଗୁରୁଣ୍ଡିଆ ଥାନାକୁ ଖବର ଦେଇଥିଲେ । ଗୁରୁଣ୍ଡିଆ ଥାନା ଅଧିକାରୀ ବିଜୟ କୁମାର ସିଂ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ସବୁ କଥା ଶୁଣିବା ପରେ ୭ ତାରିଖ ରାତି ପ୍ରାୟ ୯ ରେ ଟୁକୁଡା ଗ୍ରାମ ସମୀର ଲମ୍ବଗା ଘରକୁ ଯାଇ ପଚରା ଉଚୁରା କରିବାରୁ ସେ ସବୁ ସତକଥା ମାନି ଯାଇଥିଲା । ତା ପାଖରେ ଥିବା ଦୁଇଟି ବନ୍ଧୁକ ଓ ଗୋଟିଏ ମୋବାଇଲକୁ ପୋଲିସ ଜବତ କରିଛି । ଗୋବିନ୍ଦ କୁଜୁର ଫେରାର ଥିବା ବେଳେ ସମୀରକୁ ପୋଲିସ ଗିରଫ କରି ୠଜୁକରି ବଣାଇଁ କୋର୍ଟକୁ ପଠାଇଛି ।

