ବାଲେଶ୍ୱର, ୧୬ ଅଗଷ୍ଟ: ଭାରତୀୟ ରାଜନୀତିର ଅଜାତଶତ୍ରୁ, ପ୍ରଖର ରାଷ୍ଟ୍ରବାଦୀ, ଓଜସ୍ୱୀ ବକ୍ତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତରତ୍ନ’ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ସ୍ୱର୍ଗତ ବାଜପେୟୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ପୁଷ୍ପାର୍ଘ୍ୟ ଅର୍ପଣ କରି ମହାନ ରାଷ୍ଟ୍ରନାୟକଙ୍କୁ ସ୍ମରଣ କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ କେବଳ ଜଣେ ରାଜନେତା ନୁହେଁ, ସେ ଥିଲେ ଭାରତୀୟ ଗଣତନ୍ତ୍ରର ଏକ ଉଜ୍ଜ୍ୱଳ ଆଲୋକବର୍ତ୍ତିକା। ସ୍ୱର୍ଗତ ବାଜପେୟୀଙ୍କ ଦୂରଦର୍ଶୀ ନେତୃତ୍ୱ, ଅଦମ୍ୟ ରାଷ୍ଟ୍ରପ୍ରେମ ଓ ସୁଦୃଢ଼ ନିଷ୍ପତ୍ତି ଭାରତକୁ ବିଶ୍ୱମଞ୍ଚରେ ଏକ ନୂତନ ପରିଚୟ ଦେଇଥିଲା। ଦେଶର ସାମରିକ ସାମର୍ଥ୍ୟକୁ ଦୃଢ଼ କରିବାଠାରୁ ଆରମ୍ଭ କରି ଯୋଗାଯୋଗ, ସଡ଼କ ଓ ଭିତ୍ତିଭୂମି ବିକାଶ ପର୍ଯ୍ୟନ୍ତ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ ଆଧୁନିକ ଭାରତ ଗଠନରେ ଏକ ସୁଦୃଢ଼ ଭିତ୍ତି ସ୍ଥାପନ କରିଥିଲା।
ରାଜନୈତିକ ମତଭେଦର ଊର୍ଦ୍ଧ୍ୱରେ ଉଠି ଦେଶର ସ୍ୱାର୍ଥ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ତାଙ୍କ ଅଦ୍ୱିତୀୟ ସାମର୍ଥ୍ୟ ତାଙ୍କୁ ସମଗ୍ର ଦେଶର ପ୍ରିୟ ନେତା ଭାବେ ପ୍ରତିଷ୍ଠିତ କରିଥିଲା। ଶ୍ରୀ ଦତ୍ତ ଆହୁରି କହିଥିଲେ, ଅଟଳଜୀଙ୍କ ବ୍ୟକ୍ତିତ୍ୱରେ ରାଜନୀତି ଓ ସାହିତ୍ୟର ଏକ ଅପୂର୍ବ ସମନ୍ୱୟ ପରିଲକ୍ଷିତ ହୋଇଥିଲା। ତାଙ୍କ ଶବ୍ଦରେ ଥିଲା ଓଜସ୍ୱିତା, ଚିନ୍ତାରେ ଥିଲା ଗଭୀରତା ଏବଂ କାର୍ଯ୍ୟରେ ଥିଲା ରାଷ୍ଟ୍ର ପ୍ରତି ଅଟୁଟ ସମର୍ପଣ। ତାଙ୍କ କବିତା, ଚିନ୍ତନ ଓ ରାଷ୍ଟ୍ରନୀତି ଆଗାମୀ ପିଢ଼ିକୁ ନିରନ୍ତର ଦେଶସେବା ପାଇଁ ପ୍ରେରଣା ଯୋଗାଇବ। ତାଙ୍କ ପ୍ରଦର୍ଶିତ ରାଷ୍ଟ୍ରସେବାର ପଥରେ ଆଗେଇ ଯାଇ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନରେ ନିଜ ନିଜ ସ୍ତରରେ ଅବଦାନ ରଖିବାକୁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୌରାଙ୍ଗ ଦାସ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ସଚିନ ପାଞ୍ଜା, ପବନ କମିଳା, ରଞ୍ଜନ ଦାସ ଓ ଶୁଭଙ୍କର ପଣ୍ଡା ଉପସ୍ଥିତ ଥିଲେ।

