ତିହିଡି, ୧୬.୦୮: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୟାଙ୍ଗ ଅଞ୍ଚଳ ଯଥା ବାରସର ଓ ଗୋବିନ୍ଦପୁର ପଞ୍ଚାୟତରେ ଦ୍ୱୀତିୟ ବନ୍ୟା ଦୁଇଦିନ ହେଲା ତାଣ୍ଡବ ରଚିଲାଣି । ଲଗାଣ ବର୍ଷା ତଥା ଉପର ମୁଣ୍ଡରୁ ପାଣି ତଳକୁ ଖସିବା କାରଣରୁ ଧିରେ ଧିରେ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରଥମ ବନ୍ୟା ପରେ ଲୋକେ ସଳଖି ଚାଲିବାକୁ ଉଦ୍ୟମ କରୁଥିବା ବେଳେ ସଂପ୍ରତି ବନ୍ୟା ଲୋକଙ୍କୁ ଧନ ଜୀବନ ଛାରଖାର କରିବାର ସମ୍ଭାବନା ଦେଖା ଦେଲାଣି । ତିନିଦିନ ତଳେ ତଳଗୋପବିନ୍ଧା, ବୋଡକ, ବାରୋ, ବିଲଣା, କାଁପଡା, ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ରବିବାର ସକାଳୁ ବାରସର ଓ ଗୋବିନ୍ଦପୁର ପଞ୍ଚାୟତରେ ପାଣି ସମ୍ପୂର୍ଣ୍ଣ ମାଡି ଗଲାଣି । ବିନ୍ଧା ବଜାରରୁ ତିଆଡିସାହି ରାସ୍ତାରେ ଦୁଇ ଫୁଟରୁ ଉର୍ଦ୍ଧରେ ପାଣି ସୁଅ ଚାଲିଛି । ଦୁଇ ପଞ୍ଚାୟତ ସଂପ୍ରତି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି । ବିଲବାଡି ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଗୃହସ୍ଥ ସମେତ ଗୃହପାଳିତ ପଶୁଙ୍କ ଖାଦ୍ୟ ଅଭାବ ଦେଖା ଦେଇଛି । ପ୍ରଥମ ବନ୍ୟାକୁ ଯେନତେନ ପ୍ରକାରରେ ପ୍ରଶାସନ ପରିଚାଳନା କରିଥିବା ବେଳେ ଏବେ ଏହି ବନ୍ୟାକୁ କେମିତି ମୁକାବିଲା କରିବ ସେନେଇ ଚିନ୍ତାରେ ଅଞ୍ଚଳବାସୀ । ମିଳିଥିବା ସୂଚନା ଅନୁଯାଇ, ରବିବାର ଅପରାହ୍ନରେ ବୟାଙ୍କ ଅଞ୍ଚଳରେ ଓଡ୍ରାପ୍ଟ ଟିମ୍ ପହଂଚି ସାରିଛି । ବାତ୍ୟା ଆଶ୍ରୟ ସ୍ଥଳିରେ ସେମାନେ ରହିବେ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ବନ୍ୟା ଘେରରେ ଥିବା ବିପନ୍ନମାନଙ୍କୁ ଡୋର ଷ୍ଟେପରେ ରନ୍ଧା ଖାଦ୍ୟ ଦିଆ ଯାଉଛି ଏବଂ ଯେକୌଣସି ପରିସ୍ଥିତିର ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି । ପାଣି ବଢିଲେ ଏହି ଅଞ୍ଚଳରେ ମଧ୍ୟ ରନ୍ଧା ଖାଦ୍ୟ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ବୟାଙ୍ଗବାସୀ ସଂପ୍ରତି ଭୟଭିତ । ବିଷଧର ସାପ ସମେତ କୁମ୍ଭୀର ଆତଙ୍କ ରହିଥିବାରୁ ଲୋକେ ଗାଁ ରାସ୍ତାରେ ଯିବାକୁ ମଧ୍ୟ ଡରିଲେଣି । ଧାନତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ରୁଆଧାନରେ ଆଣ୍ଠୁଏ ପାଣି । ବନ୍ୟା ଛାଡିବା ପରେ ପୁଣି ତଳି ପକାଇ କେମିତି ଧାନରୁଆ ହେବ ତାହାକୁ ନେଇ ଚିନ୍ତାରେ ଚାଷୀ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

