ତିହିଡି, ୧୬.୦୮: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ନୂଆସାହି ଗାଁର ପାଣିରେ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ମୁରଲୀ ମଳିକଙ୍କ ପୁଅ ଉପାସୀ ମଳିକ(୫୬) ବୋଲି ଜଣା ଯାଇଛି । ବିଗତ ଦୁଇ ସପ୍ତାହ ଧରି ବନ୍ୟା ଯୋଗୁଁ ଗାଁ ସମେତ ବିଲବାଡି ଓ ରାସ୍ତାଘାଟରେ ପାଣି ଜମି ରହିଛି । ଶନିବାର ଅଗଷ୍ଟ ୧୫ ସ୍ୱାଧିନତା ଦିବସ ଉପଲକ୍ଷେ ଉତ୍ସବ ପାଳନ ନିମନ୍ତେ ଉପାସୀ ସାଇକେଲ ଯୋଗେ ତିହିଡି ଆସୁଥିଲେ । ଗାଁରୁ ୨ କିଲୋମିଟର ଆସିବା ପରେ ବାଟରେ ରାସ୍ତା କଡରେ ଥିବା କେନାଲରେ ସେ ପଡି ଯାଇଥିଲେ । ସାଇକେଲଟି ରାସ୍ତା କଡିରେ ପଡିଥିବା ନେଇ ବାଟେ ଯାଉଥିବା ଲୋକେ ଅଟକି ଉପାସୀଙ୍କୁ ଉଦ୍ଧାର କରି ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ରାସ୍ତା ଯାଉଥିବା ବେଳେ କୌଣସି କାରଣରୁ କେନାଲରେ ପଡି ଯାଇଥିବା ଲୋକେ ସନ୍ଦେହ କରିଛନ୍ତି । ମୃତକ ଜଣେ ଦୀନ ମଜୁରିଆଭାବେ କାମ କରି ପରିବାର ପୋଷଣ କରନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଉପାସୀଙ୍କ ଏପରି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସରପଞ୍ଚ ସୁପ୍ରଭା ପାଣି ତିହିଡିରେ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ପୀରହାଟ ପୋଲିସ ଶବକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା ଏବଂ ସଂଧ୍ୟାରେ ଶବ ଆସିବା ପରେ ଗାଁରେ ବନ୍ୟା ଜଳ ଜମିଥିବାରୁ ଶ୍ମଶାନରେ ଶବ ସତ୍କାର କରିବା ସମ୍ଭବ ହୋଇ ପାରିନଥିଲା । ସରପଞ୍ଚଙ୍କ ହସ୍ତକ୍ଷେପରେ ସିନ୍ଦୋଳ ସେନବାଡସ୍ଥିତ ସରକାରୀ ଶ୍ମଶାନ ଘାଟ(ସ୍ୱର୍ଗଦ୍ୱାର)ରେ ଶବ ସତ୍କାର କରାଯାଇଛି ।

