ୱାସିଂଟନ:ଘୂର୍ଣ୍ଣିବାତ୍ୟା ଲାଲା ୧୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ହାୱାଇ ରାଜ୍ୟର ବିଗ୍ ଆଇଲ୍ୟାଣ୍ଡକୁ ସଙ୍କଟରେ ପକାଇଛି। ଜାତୀୟ ହରିକେନ୍ କେନ୍ଦ୍ର ଅନୁଯାୟୀ, ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ବହୁଥିବା ପବନ, ପ୍ରବଳ ବର୍ଷା ଏବଂ ବିପଦପୂର୍ଣ୍ଣ ସମୁଦ୍ର ଜୁଆର ସମଗ୍ର ଅଞ୍ଚଳକୁ ପ୍ରଭାବିତ କରିଛି। ୧୮୭୧ ମସିହା ପରେ ପ୍ରଥମ ଥର ପାଇଁ କୌଣସି ଝଡ଼ ଦ୍ୱୀପର ଏତେ ନିକଟ ଦେଇ ଗତି କରୁଛି। ୨ ଲକ୍ଷ ୧୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବିଗ୍ ଆଇଲ୍ୟାଣ୍ଡରେ ଝଡ଼ ନେଇ ସତର୍କ ସୂଚନା ଜାରି କରାଯାଇଛି। ମାଉଇ, ଓଆହୁ, କାଉଇ ଏବଂ ମୋଲୋକାଇ ସମେତ ଅନ୍ୟାନ୍ୟ ଦ୍ୱୀପପୁଞ୍ଜ ମଧ୍ୟ ସଜାଗ ରହିବାକୁ କୁହାଯାଇଛି।ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଏହି ଝଡ଼ ଦ୍ୱୀପର ଦକ୍ଷିଣ ଅଂଶ ଦେଇ ଗତି କରିବା ସମୟରେ ପାର୍ବତ୍ୟାଞ୍ଚଳରେ ୬୩.୫ସେମି (୨୫ ଇଞ୍ଚ) ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ଯୋଗୁ ବନ୍ୟା ଏବଂ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ହାୱାଇ ରାଜ୍ୟପାଳ ଜୋଶ ଗ୍ରୀନ୍ କହିଛନ୍ତି, ଘଣ୍ଟାପ୍ରତିରେ ୫ ସେମି ବର୍ଷା ହେଉଛି। ସେ ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି।ଝଡ଼ ଯୋଗୁଁ ବହୁ କ୍ଷୟକ୍ଷତି ଘଟିଛି। ଗଛ ଉପୁଡ଼ିବା ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି। ଫଳରେ ୪୨ ହଜାରରୁ ଅଧିକ ଘର ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ବିଗ୍ ଆଇଲ୍ୟାଣ୍ଡର ୩୧ ହଜାରରୁ ଅଧିକ ଘରୁ ବିଦ୍ୟୁତ ସଂଯୋଗ କଟି ଯାଇଛି। ସୁରକ୍ଷା ଦୃଷ୍ଟିରୁ, ଅଧିକାରୀମାନେ ହିଲୋ ଏବଂ କୋନା ବିମାନବନ୍ଦରକୁ ବନ୍ଦ କରିଦେଇଛନ୍ତି। ହାୱାଇ, ମାଉଇ ଏବଂ କାଉଇର ମୁଖ୍ୟ ସମୁଦ୍ର ବନ୍ଦରଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ମାଉନାକିଆର ସର୍ବୋଚ୍ଚ ଶିଖରରେ ଘଣ୍ଟା ପ୍ରତି ୧୬୧ କିମି ବେଗରେ ପବନ ବହୁଥିବା ରେକର୍ଡ କରାଯାଇଛି। ସ୍ଥାନୀୟ ଲୋକମାନଙ୍କୁ ଜେନେରେଟର, ଇନ୍ଧନ ଏବଂ ପାନୀୟ ଜଳ ସଂଗ୍ରହ କରିବାକୁ କୁହାଯାଇଛି।ସରକାର ରିଲିଫ୍ ଶିବିର ଖୋଲିଛନ୍ତି ଏବଂ ଗୋପାଳକମାନଙ୍କୁ ସେମାନଙ୍କ ଗୋରୁମାନଙ୍କୁ ସୁରକ୍ଷିତ ଖୋଲା ପଡ଼ିଆରେ ଛାଡିବାକୁ ପରାମର୍ଶ ଦେଇଛନ୍ତି। ବନ୍ୟା, ଭୂସ୍ଖଳନ ଅପେକ୍ଷା ଶୁଷ୍କ ପବନ ଯୋଗୁ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କାକୁ ନେଇ ସ୍ଥାନୀୟ ପ୍ରଶାସନ ଅଧିକ ଭୟ କରୁଛନ୍ତି। ସେଭଳି ସ୍ଥିତି ୨୦୨୩ ମସିହାରେ ଲାହାଇନାରେ ଘଟିଥିଲା।

