ତିହିଡି, ୧୬.୦୮: ଭଦ୍ରକ ଜିଲ୍ଲାର ହୋୟାଙ୍ଗ ସାଜିଛି ଦୁଇଟି ନଦୀ ଯଥା ବୈତରଣୀ ଓ ସାଳନ୍ଦି । ଏହି ଦୁଇ ନଦୀରେ ପ୍ରତିବର୍ଷ ବନ୍ୟା ଆସିଥାଏ ଏବଂ ଧନଜୀବନ ନଷ୍ଟ ମଧ୍ୟ କରିଥାଏ । ଏହାର ସୁରକ୍ଷା ପ୍ରତି ଲୋକଦେଖାଣିଆ ସଚେତନ ହେଉଥିବା ବିଭାଗ ଚଳିତ ବର୍ଷ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ବିଭିନ୍ନ ସ୍ଥାନରେ ନଦୀର ଆଡିବନ୍ଧରେ ଘାଇ ସୃଷ୍ଟି ହୋଇଛି । ସେଗୁଡିକର ମରାମତି ପାଇଁ ବିଭାଗ ପକ୍ଷରୁ ପେକିଂ ଦିଆଯାଉଛି । କେଉଁଠି ବାଉଁଶ ବାଲା ଦିଆ ଯାଉଥିବା ବେଳେ ଆଉ କେଉଁଠି ବାଲି ବସ୍ତା ଦେଇ ଯେନତେନ ପ୍ରକାରରେ ପାଣିକୁ ବନ୍ଦ କରିବାକୁ ପ୍ରୟାସ ଚଳେଇ ଆସୁଛି । ହେଲେ ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବନ୍ୟା ଉକ୍ତ ମରାମତି କାମକୁ ଭାଙ୍ଗି ଦେଇଛି । ସାମାନ୍ୟ କାମକୁ ଯେତେବେଳେ ଠିକା ସଂସ୍ଥାକୁ ଦିଆଯାଉଛି ତାହା ପୁଣି ତତ୍କାଳ ଭିତ୍ତିରେ ତାହାର ବ୍ୟୟବରାଦ ଲକ୍ଷାଧିକ ଟଙ୍କା ହେବା ସ୍ୱାଭାବିକ । ନାମକୁ ମାତ୍ର ବାଉଁଶ ବାଲା ଓ ବାଲି ବସ୍ତା ଦେଇ ମରାମତି କାମ ଚାଲିଛି । ଗାଁ ଲୋକେ ପ୍ରଶ୍ନ କଲେ ଏମିତି ହୁଏ ବୋଲି ବିଭାଗ ପକ୍ଷରୁ କୁହା ଯାଉଛି । ଗ୍ରୀଷ୍ମ ଋତୁରେ ମରାମତି କଥା କହିଲେ ସବୁ ଠିକ୍ ଅଛି ବନ୍ୟାରେ ଭାଙ୍ଗି ଗଲେ ଦେଖାଯିବ ବୋଲି ବିଭାଗ କହୁଥିବା ବେଳେ ସଂପ୍ରତି ବନ୍ୟାର ମୁକାବିକା ଲାଗି ଲକ୍ଷ ଲକ୍ଷ ଟଙ୍କା ପାଣିରେ ପକାଇବା କେତେଦୂର ସମ୍ମିଚୀନ ବୋଲି ଅଞ୍ଚଳବାସୀଙ୍କ ପ୍ରଶ୍ନରେ କୌଣସି ଉତ୍ତର ନାହିଁ । ପ୍ରଥମ ବନ୍ୟା ପରେ ସଂପ୍ରତି ଲଗାଣ ବର୍ଷାରେ ଦ୍ୱୀତିୟ ବନ୍ୟା ଦେଖା ଦେଇଛି । ତଳଗୋପବିନ୍ଧା, ବୋଡକ, ବାରୋ, ବିଲଣା, କାଁପଡା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର ଆଦି ପଞ୍ଚାୟତ ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ଗୁଆମାଳ, ମୁକୁନ୍ଦପୁର, ଫତେପୁର, ସିନ୍ଦୋଳ ଓ ବାମନବିନ୍ଧା ଆଦି ପଞ୍ଚାୟତରେ ଆଂଶିକ ବନ୍ୟା ଜଳ ପ୍ରବେଶ କରିଛି । ରବିବାର ରାତି ସୁଦ୍ଧା ବନ୍ୟା ପରିସ୍ଥିତି ମୁକାବିଲା କରିବା ବଡ ଅବସମ୍ଭାବୀ ହୋଇ ପଡିବ ବୋଲି କୁହାଯାଉଛି । ପ୍ରଥମ ବନ୍ୟାରେ ସାଳନ୍ଦି ଓ ତାର ଶାଖା ନଦୀ ଏବଂ ବୈତରଣୀ ସମେତ କେତେକ ଶାଖା ନଦୀରେ ଯେଉଁସବୁ ଘାଇ ସୃଷ୍ଟି ହୋଇଥିଲା ତାହାର ମରାମତି ସଠିକ ଭାବେ ହୋଇନଥିବା ବେଳେ ଏବର ବନ୍ୟା ଲୋକଙ୍କୁ ଘାଇଲା କରିବା ନିସନ୍ଦେହ । ଶହଶହ ଗୃହସ୍ଥ ନିଜ ନିଜ ଘରୁ ବାହାରି ବାହାରେ କାଳାତିପାତ କରୁଥିବା ବେଳେ ସେମାନଙ୍କୁ ଜରିପାଲ ଏଯାବତ ପ୍ରଦାନ କରାଯାଇ ନାହିଁ । ବନ୍ୟା ଘେରରେ ସେମାନଙ୍କୁ ସାମୟିକ ଚୂଡ ଓ ଗୁଡରେ ସନ୍ତୁଷ୍ଟ କରାଯାଇଥିଲା ବେଳେ କେତେକ ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ହେଲେ ଚଳିତ ବନ୍ୟାରେ ଲୋକଙ୍କୁ କେମିତି ସହାୟତା ପ୍ରଦାନ କରାଯିବ ସେନେଇ ଚିନ୍ତାରେ ପ୍ରଶାସନ । ସେପଟରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଧାନତଳି ଓ ରୁଆଧାନରେ ଜମି ରହିଥିବା ପାଣି ଚାଷୀକୂଳର ସତ୍ୟାନାସ କରିଥିବା ବେଳେ ଚଳିତ ବନ୍ୟା ପରେ ଆଉ ଥରେ ତଳି ପକେଇ ଚାଷ କରିବା ଅସମ୍ଭବ ହୋଇ ପଡିଛି । ପ୍ରଶାସନ ପକ୍ଷରୁ ତଦନ୍ତ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ଜୋର ଧରିଛି ।

