ବାଂଶପାଳ/ ଭଦ୍ରକ: ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ବାଂଶପାଳ । ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ। ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବାଂଶପାଳରେ ଗତକାଲି ଠାରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ଜଳବନ୍ଦୀ ହୋଇ ରହିଛି ଅନେକ ଗାଁ। ଘାଗରା ନାଳ ପୋଲ ଉପରେ ପାଣି ଚାଲୁଥିବାରୁ ଜମ୍ଭୀରିପସି- କଲଣ୍ଡା ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ପୋଲର ଦୁଇ ପାର୍ଶ୍ବରେ ଗାଡ଼ି ମୋଟର ଅଟକି ରହିଛି। ଏହି ପୋଲ ଉପରେ ନିର୍ଭର କରୁଥିବା ଜମ୍ଭୀରିପସି, ଚାନ୍ଦପସୀ, ବଡ଼ବିଲ, କଲଣ୍ଡା, ଭଗତ ପୁର, ପଣସୁଆଁ ଆଦି ୨ ଟି ପଞ୍ଚାୟତ ର ୧୫ ଖଣ୍ଡ ଗାଁ ର ଲୋକେ ଯାତାୟାତ କରି ପାରୁନାହାନ୍ତି ।
ଅନ୍ୟପଟେ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ଏହା ୧୯.୨୭ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । କଣ୍ଟି ଏସକେପ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ଏବଂ ବାଲି ପୋଖରୀ ଏସକେପ ଉପରେ ୨ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର, ଝୁଂଟୁନା, ବନ୍ଦାଳ ମଢିଆଳି, ନପଙ୍କ, ରହଣିଆ, ବାଲି ପୋଖରୀ ଆଦି ୭ଟି ପଞ୍ଚାୟତ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ବିଭିନ୍ନ ଗାଁକୁ ପଶୁଛି ବନ୍ୟା ଜଳ । ଗତକାଲି ମଧ୍ୟ ରାତି ରେ ଧାମନଗର ବ୍ଲକର ତଳିଆ ଅଂଚଳରେ ମାଇକ ଯୋଗେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ -ଯାଜପୁର ଏବଂ ଷୋଳମପୁର ଠାରେ ବନ୍ୟା ପାଣି ରାସ୍ତାରେ ଚାଲୁଥିବା ଯୋଗୁଁ ବିଛିନ୍ନ ହୋଇଛି ।

