ନୂଆଦିଲ୍ଲୀ:ଏୟାର ଇଣ୍ଡିଆ ବିମାନର ପରିଚାଳନାଗତ ତ୍ରୁଟି ଓ କ୍ରମାଗତ ସୁରକ୍ଷା ସମସ୍ୟାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅତ୍ୟନ୍ତ ଗମ୍ଭୀର ଆଭିମୁଖ୍ୟ ଗ୍ରହଣ କରିଛି। ବିମାନ ଚଳାଚଳର ସୁରକ୍ଷା ନିଶ୍ଚିତ କରିବା ଏବଂ କାର୍ଯ୍ୟପ୍ରଣାଳୀ ଉପରେ କଡ଼ା ନଜର ରଖିବା ପାଇଁ ସରକାର ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ କଡ଼ା ଚେତାବନୀ ଦେଇଛନ୍ତି। ଏହାସହିତ ବେସାମରିକ ବିମାନ ଚଳାଚଳ ମହାନ୍ନିର୍ଦ୍ଦେଶାଳୟକୁ ଡ୍ରଗ୍-ଟେଷ୍ଟିଂ ନିୟମରେ ତୁରନ୍ତ ସଂଶୋଧନ କରିବା ଏବଂ ବାଧ୍ୟତାମୂଳକ ପରୀକ୍ଷା ପରିସରକୁ ବୃଦ୍ଧି କରିବାକୁ କୁହାଯାଇଛି।ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରକୃତ କୋକେନ୍ କିମ୍ବା ଅନ୍ୟାନ୍ୟ “ମାରାତ୍ମକ ଡ୍ରଗ୍ସ” ଗ୍ରହଣ କରି ଧରାପଡ଼ୁଥିବା କର୍ମଚାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବ, ଯେଉଁଠାରେ ଔଷଧ ସେବନ ହେତୁ ପଜିଟିଭ୍ ଆସୁଥିବା ବ୍ୟକ୍ତିଙ୍କୁ ସୁଯୋଗ ପ୍ରଦାନ କରାଯିବ। ଗତ ଅଗଷ୍ଟ ୪ ତାରିଖରେ ୧୪୫ ଜଣ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ଫୁକେଟରୁ ଦିଲ୍ଲୀ ଆସୁଥିବା ”ଏଆଇ୨୩୭୯” ବିମାନ ଆକାଶମାର୍ଗରେ ହଠାତ୍ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିଥିଲା। ଏହି ସମୟରେ ବିମାନର ହାଇଡ୍ରୋଲିକ୍ସ ସିଷ୍ଟମ୍, କବାଟ ଏବଂ ଆଲଟିଚ୍ୟୁଡ୍ ନିୟନ୍ତ୍ରଣ କରୁଥିବା ”ଏଲିଭେଟର”କୁ ନେଇ ଏକାଧିକ ଚେତାବନୀ ସିଗ୍ନାଲ୍ ମିଳିଥିଲା ଏବଂ ଅଟୋପାଇଲଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ବିମାନଟି ହଠାତ୍ ତଳକୁ ଖସିପଡ଼ିବାରୁ ଅନେକ ଯାତ୍ରୀ ଓ କ୍ରିୟୁ ସଦସ୍ୟ ଆହତ ହୋଇଥିଲେ। ତେବେ କୋ-ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିପାରିଥିଲା।

