ତିନି କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଗତସିଂପୁର ଜିଲ୍ଲାର ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଂଜ କିଶୋର ବେହେରା ଏବଂ ପ୍ରଦୀପ୍ତ କୁମାର ମଲ୍ଲିକ। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଗତସିଂପୁର ଜିଲ୍ଲାରେ ସରକାରୀଙ୍କ ସହିତ ଜଡିତ ଏକ ବଡ଼ ଆର୍ଥିକ ଠକେଇ ମାମଲାରେ ଚଢ଼ାଉ କରି ନୂଆଗାଁ ତହସିଲ ଅଧୀନ ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ଏସଆରଏ ତଥା ନୂଆଗାଁ ତହସିଲର ଏସ୍ଆରଏ ଭଞ୍ଜ କିଶୋର ବେହେରା ଏବଂ ତିର୍ତ୍ତୋଲ ବ୍ଲକରୁ ଅବସରପ୍ରାପ୍ତ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ଗିରଫ କରାଯାଇଛି। ଉଭୟ ସରକାରୀ ପାଣ୍ଠିର ୩,୦୨,୯୫,୦୦୦ ଟଙ୍କା ଆତ୍ମସାତ କରିଥିବା ନେଇ ଗିରଫ କରାଯାଇଛି।
୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟାପକ ତଦନ୍ତ ସମୟରେ ଭିଜିଲାନ୍ସ ବିଭାଗ ତିର୍ତୋଲ ବ୍ଲକ କାର୍ଯ୍ୟାଳୟରେ ପୂର୍ବତନ ଏସ୍ଆରଏ ଭଞ୍ଜ କିଶୋର ବେହେରା, ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ପୂର୍ବତନ ଏଇଇ ସ୍ୱର୍ଗତ ରାଜଦୀପ ହାଂସଦାଙ୍କ ଦ୍ୱାରା ଏକ ରୀତିମତ ଭାବରେ ସମ୍ପାଦିତ ଆର୍ଥିକ ଠକେଇ ନେଇ ଜାଣିବାକୁ ପାଇଛି।

