ନୀଳଗିରି-୨୨/୭
ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ପାଟଣା ଗାଁର ନେତ୍ରାନନ୍ଦ ବେହେରାଙ୍କ ଘରଭିତର କାଠ ପଲାଭିତରେ ପଶିଯାଇଥିଲା ଏକ ଭାଲୁ। ନେତ୍ରାନନ୍ଦ ସକାଳୁ ଉଠି ବାହାରକୁ ଆସି ହଠାତ କାଠପଲା ଭିତରୁ ସଂ ସଂ ଶବ୍ଦଶୁଣି ଭୟଭୀତ ହୋଇ ଏକ ଭାଲୁ ଶୋଇଥିବାର ଦେଖିବାକୁ ପାଇଥିଲେ। ଭାଲୁଟି କୁଆଡେ ନଯାଇ ଧୀରସ୍ଥିର ଶୋଇଥିବାର ଦେଖିବାକୁ ମିଳିଥିଲା।ତେବେ ଭାଲୁଟି ଅସୁସ୍ଥଥିବାର ଅନୁମାନ କରାଯାଇଛି।ଏହିଖବର ଗ୍ରାମରେ ପ୍ରଚାରିତ ହେବାପରେ ଭାଲୁଟିକୁ ଦେଖିବାପାଇଁ ଗାଁଲୋକ ରୁଣ୍ଡ ହୋଇଯାଇଥିଲେ।ଭାଲୁକୁ ଉକ୍ତସ୍ଥାନରୁ ବାହାରକରି ଜଙ୍ଗଲକୁ ଘଉଡାଇବା ପାଇଁ ଚେଷ୍ଟାକରି ବିଫଳ ହେବାପରେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସାଇରନ ବଜାଇ ଭାଲୁକୁ ସୁରକ୍ଷିତଭାବେ କାଠପଲାରୁ ବାହାର କରି ଗ୍ରାମର ଉଦ୍ୟମି ଯୁବକମାନଙ୍କ ସହଯୋଗରେ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଇଥିଲେ। ତେବେ ଲଗାତାର ଭାବେ ତିନିଦିନଧରି ଉକ୍ତ ଗ୍ରାମକୁ ଭାଲୁପଶୁଥିବାରୁ ଗ୍ରାମର ଲୋକମାନେ ଆତଙ୍କିତ ଭାବେ ରହୁଥିବାର କୁହାଯାଉଛି।ଜଙ୍ଗଲରେ ଖାଦ୍ୟଅଭାବ ଯୋଗୁଁ ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଥିବା କୁହାଯାଉଛି l ବନବିଭାଗ ଜଙ୍ଗଲୀଜନ୍ତୁ ମାନଙ୍କ ସୁରକ୍ଷା ପ୍ରତି ଯେତିକି ଯତ୍ନବାନ ହେଉଛି ସାଧାରଣଜନତାଙ୍କ ପ୍ରତି ମଧ୍ୟ ସେତିକି ଯତ୍ନବାନ ନହେବା ଦୁଃଖ ଓ ପରିତାପର ବିଷୟ। ବନବିଭାଗର ଅପାରଗତା ପାଇଁ କେତେବେଳେ ସ୍ତ୍ରୀ ମଥାରୁ ସିନ୍ଦୁର ଲିଭୁଛି ତ କେତେବେଳେ ପୁଅ ବାପା ଛେଉଣ୍ଡ ହେବାର ବହୁ ନଜିର ଅଛି l ବନବିଭାଗ ବେଳହୁଁ ସାବଧାନ ନହେଲେ ଜଙ୍ଗଲଜନ୍ତୁ ଲୋକଙ୍କ ଆକ୍ରୋଶର ଶିକାରହୋଇ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ l

