ତିହିଡି, ୧୧.୦୮ : ଆତଙ୍କିତ ବାରସର ଓ ଗୋବିନ୍ଦପୁର ପଞ୍ଚାୟତବାସୀ । ମାଡ ଭୟରେ ଘରୁ ବାହାରି ପାରୁନାହାଁନ୍ତିି । ବିନ୍ଧା ଛକରେ ଅଟକାଇ ସେମାନଙ୍କୁ ଏପରି କରାଯାଉଛି । ଆଉ ଅଭିଯୁକ୍ତମାନେ ଖୋଲମଖୋଲା ରାସ୍ତା ମଝିରେ ମାରଧର କରୁଛନ୍ତି । ଯାହାକୁ ନେଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀଙ୍କ ପକ୍ଷରୁ ଥାନା ପରିସରରେ ଗଣଧାରଣା ଦିଆଯାଇଥିଲା । ପୋଲିସ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଅଭିଯୁକ୍ତମାନଙ୍କ ଗିରଫ୍ ଦାବୀ କରାଯାଇଛି । ତିଆଡସାହିସ୍ଥିତ ଏକ ଜାଗାବାଡି ବିବାଦକୁ କେନ୍ଦ୍ରକରି ବିଗତ କିଛିଦିନ ହେବ ବିବାଦ ଲାଗି ରହିଛି ଏବଂ ବଳପୂର୍ବକ ସରକାରୀ ମେଡିକାଲ, ହାଇସ୍କୁଲ ଓ ବାତ୍ୟାଶ୍ରୟକୁ ଲମ୍ବିଥିବା ରାସ୍ତାକୁ ଏକ ନିର୍ଦ୍ଦିଷ୍ଟ ପରିବାର ପକ୍ଷରୁ ବଳପୂର୍ବକ ଢଳେଇ ପିଲାଇ ପକାଇଥିଲେ ଯାହାକୁ ବିରୋଧ କରିଥିଲେ ଏହି ଦୁଇ ପଞ୍ଚାୟତବାସୀ । ମାତ୍ର ଅପରପକ୍ଷ ବିବାଦ ଉପୁଜାଇବା ସହ ସମ୍ପର୍କୀୟମାନଙ୍କ ସହଯୋଗରେ ବିନ୍ଧାଛକ ଏବଂ କୋହ୍ଲ-ବୟାଙ୍ଗ ରାସ୍ତାରେ ଏହି ଦୁଇ ପଞ୍ଚାୟତବାସୀଙ୍କୁ ଅଟକାଇ ମାରଧର କରିବା ସହିତ ମୋବାଇଲ୍ ଛଡେଇ ନେବା ସହିତ ନାନାଦି ଧମକ ଚମକ ଦେଇ ଆସୁଛନ୍ତି । ଏଥିସହ କେତେକ ନିର୍ଦ୍ଦିଷ୍ଟ ନେତୃବୃନ୍ଦଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଯାହାକୁ ଥାନାକୁ ବାରମ୍ବାର ଅବଗତ ମଧ୍ୟ କରାଯାଇଛି । ତେବେ ଘଟଣାକ୍ରମେ ବିବାଦ ଉଗ୍ରରୂପ ଧାରଣ କରିବା ପରେ ଏହି ଦୁଇ ପଞ୍ଚାୟତବାସୀ ଅସୁରକ୍ଷିତ ମନେକରି ଗୁରୁବାର ପୂର୍ବାହ୍ନରେ ଥାନା ପରିସରରେ ଗଣଧାରଣାରେ ବସି ଦୁଇ ପଞ୍ଚାୟତବାସୀଙ୍କ ସୁରକ୍ଷା ଓ ଅଭିଯୁକ୍ତଙ୍କ ଗିରଫ୍ ଦାବୀ କରିଥିଲେ । ଆଲୋଚନା ଓ ପର୍ଯର୍ର୍ାଲୋଚନା କରିବା ପରେ ଆଇଆଇସି ରୋଜାଲିନ୍ ବେହେରା ସେମାନଙ୍କୁ ପ୍ରତିଶୃତି ଦେବା ପରେ ଦିବା ପ୍ରାୟ ୧୨ ଘଟକା ସମୟରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପରିସ୍ଥିତି ଅଣାୟତ କରାଯିବ ବୋଲି ଦୁଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଚେତାବନି ଦିଆଯାଇଛି । ସୂଚନା ମୁତାବକ, ଗତ ୧୯୭୮ ମସିହାରେ ତିଆଡିସାହି ଛକରୁ ପ୍ରଥମେ ହାଇସ୍କୁଲ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ କରାଯାଇଥିଲା । ପରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗତ କିଛି ବର୍ଷ ତଳେ ବାତ୍ୟାଶ୍ରୟ ନିର୍ମାଣ ହୋଇଛି । ଏଥିସହ ରାସ୍ତାକୁ ଲାଗିଥିବା କେତେକ ପ୍ଲଟରେ ବ୍ୟକ୍ତିଗତ ଗୃହ ମଧ୍ୟ ନିର୍ମାଣ କରାଯାଇଛି । ୨୦୦୯ ମସିହାରେ ସରକାରୀ ସ୍ତରରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା । ପରେ ପଞ୍ଚାୟତ ପାଣ୍ଠିରୁ ମେଣ୍ଟାଲ ମୋରମ୍ ଏବଂ ୨୦୨୩ ମସିହାରେ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇଛି । ମାତ୍ର କିଛି ସପ୍ତାହ ତଳେ ହଠାତ୍ ଅପରପକ୍ଷ ନିଜର ସ୍ଥିତିବାନ୍ ସମ୍ପତ୍ତି ଥିବା କହି ଉକ୍ତ ରାସ୍ତାରେ ରାତିଅଧିଆ କଂକ୍ରିଟ୍ ପିଲାର କରିଥିଲା ଏବଂ ପରେ ଦୁଇ ପଞ୍ଚାୟତ ଏକ ବୈଠକରେ ଆଲୋଚନା କରିବା ପରେ ଉକ୍ତ ପିଲାରକୁ ଭାଙ୍ଗି ଦେଇଥିଲେ । ଏବଂ ଅନ୍ୟ ମାନଙ୍କୁ ସେଠାରୁ ହଟିଯିବାକୁ ଚେତାବନି ଦେଇଥିଲେ । ଘଟଣାକୁ ନେଇ ବାକବିତଣ୍ଡା ହୋଇଥିଲା । ମାତ୍ର ଘଟଣାକୁ ମିଥ୍ୟା ଭିଆଣ କରାଯାଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଅପରପକ୍ଷ ଆର୍ତ୍ତବନ୍ଧୁ ବିଶ୍ୱାଳଙ୍କ ସ୍ତ୍ରୀ ମମତା ବିଶ୍ୱାଳ ଥାନାରେ ଏତଲା ଦେଇଥିଲେ । ପୋଲିସ ଏନେଇ କେତେକଙ୍କ ବିରୋଧରେ ଏକ ମାମଲା ୧୨୭/୨୬ ରୁଜୁ କରିଛି । ଏତିକିରେ କଥା ସରିଲା ନାହିଁ ଅପରପକ୍ଷଙ୍କ ସମ୍ପର୍କୀୟ ସ୍ଥାନୀୟ ବିନ୍ଧ ଛକରେ ଜଣେ ଯୁବକଙ୍କୁ ହାତବାରିଶି କରି ଦୈନିକ ୧୦ରୁ ୧୫ ଜଣ ମଦ ପିଇ ମତୁଆଲା ସାଜି ଏହି ଦୁଇ ପଞ୍ଚାୟତବାସଙ୍କୁ ହଇରାଣ ହରକତ କରିବା ସହିତ ମାରଧର କରୁଥିବା ଆଜି ଗଣଧାରଣାରେ ପୋଲିସକୁ ଅବଗତ କରିଛନ୍ତି । ଦୁଇ ପଞ୍ଚାୟତବାସୀଙ୍କ ଏକାଧିକ ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ସଂଗୀନ ଅପରାଧ ଦଫାରେ ଅନ୍ୟ ଏକ ମାମଲା ୧୩୩/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉକ୍ତ ଗଣଧାରଣାରେ ବାରସର ପଞ୍ଚାୟତର ସରପଞ୍ଚ ଚକ୍ରଧର ଦାସ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ, ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ପୂର୍ବତନ ସମିତି ସଭ୍ୟ ମାନସ ରଞ୍ଜନ ନାୟକ, କେଶବ ନାୟକ, ବିପିନ ରାଉତ, ଦୀନବନ୍ଧୁ ମହାକୁଡ, ନୃସିଂହ ମହାକୁଡ, ପ୍ରଦୀପ୍ତ ମିଶ୍ର, ରମଣ ରଞ୍ଜନ ମହାନ୍ତି, ଅରୁଣ ମହାନ୍ତିଙ୍କ ସମେତ ଦୁଇ ପଞ୍ଚାୟତର ୩ ଶହରୁ ଉର୍ଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

