ତିହିଡି, ୦୪.୦୮ : ଟ୍ରେନ୍ ଧକ୍କାରେ ଯୁବକ ମୃତ୍ୟୁ ଘଟଣା, ଗେଟ୍ କିପର ଗିରଫ । ରାଜପଥ ଅବରୋଧ ଘଟଣାରେ ୨୫ରୁ୩୦ ନାମଧାରୀ ସମେତ ୭୦ରୁ ଉର୍ଦ୍ଧ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୀରାହାଟ ପୋଲିସ । ଆଦାନୀ ବନ୍ଦର କମ୍ପାନୀର ଦାୟିତ୍ୱ ହିନତା ପାଇଁ ଏକ ମୁଲ୍ୟବାନ୍ ଜୀବନ ଚାଲି ଯାଇଛି । ମୃତକଙ୍କ ପତ୍ନୀ ପାର୍ବତୀ ପରିଡାଙ୍କ ଏତଲା ମୂଳେ ପୋଲିସ ଏକ ମାମଲା ୧୩୦/୨୬ ରୁଜୁ କରିବା ସହିତ ଅଭିଯୁକ୍ତ ଗେଟ୍ କିପର ପଶ୍ଚିମବଙ୍ଗ ଜିଲାର ସମୀର ମୋଦିଙ୍କୁ ଗିରଫ କରି କୋର୍ଟ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ସୂଚନା ମୁତାବକ, ଗତ ରବିବାର ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରାହାଟ ଥାନାଧିନ ଖେଦରପୁର ଗ୍ରାମ ନିକଟସ୍ଥ ରେଳପଥ ରେଳ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସାହାପୁର ପଂଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମର ଅଭିମନ୍ୟୁ ପରିଡା ବୋଲି ଜଣାଯାଇଛି । ତେବେ ଆଦାନୀ ବନ୍ଦର କମ୍ପାନୀର କାର୍ଯ୍ୟରତ ଗେଟ୍ କିପରକୁ ଦୋଷାରୋପ କରିଥିଲେ ସ୍ଥାନୀୟ ଲୋକେ । ରେଳ ଯିବା ପୂର୍ବରୁ ଫାଟକ ପଡିନଥିବାରୁ ଏପରି ଦୁର୍ଘଟଣା ହୋଇଛି ଏବଂ ଅଭିମନ୍ୟୁଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ସମେତ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପ୍ରଥମେ ଫାଟକ ଗୃହକୁ ନିଆଁ ଲଗାଇ ପୋଡି ଦେବା ସହିତ ଗେଟ କିପରକୁ ଧରି ପୋଲିସ ଜିମା ଦେଇଥିଲେ । ପରେ ବିଭିନ୍ନ ଗ୍ରାମର ଲୋକେ ଏକତ୍ରିତ ହୋଇ ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ଭଦ୍ରକ-ଚାନ୍ଦବାଲି ରାଜପଥ ପୀରହାଟ ମଝିବଜାରରେ ରାସ୍ତା ଅବରୋଧ କରିଥିଲେ । ଉକ୍ତ ଅବରୋଧ ଦିବା ପ୍ରାୟ ୨ ଘଟିକାରୁ ରାତି ପ୍ରାୟ ୯ ଘଟିକା ପର୍ଯ୍ୟନ୍ତ ଚାଲିଥିଲା ଏବଂ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହେବା ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନ ଅଟକି ରହିଥିଲେ । ଚାନ୍ଦବାଲି ଏସଡିପିଓଙ୍କ ସମେତ ପୀରହାଟ ଓ ତିହିଡି ଆଇଆଇସି ବିକ୍ଷୋଭକାରୀଙ୍କ ଯେତେ ବୁଝାସୁଝା କରିଥିଲେ ମଧ୍ୟ ଫଳପ୍ରଦ ହୋଇନଥିଲା । ସଂଧ୍ୟାରେ ଘଟଘଟି ସହ ବର୍ଷା ହେବା ସତ୍ୱେ ମଧ୍ୟ ବିକ୍ଷୋଭକାରୀ ଅବରୋଧରୁ ହଟିନଥିଲେ । ପୋଲିସ ଉପରକୁ ପଥର ଫିଙ୍ଗିବା ଏବଂ ବାଡି ଠେଙ୍ଗ ଧରି ଗୋଡାଇବା ଆଦି ସଂଗୀନ ଅଭିଯୋଗ କରିଛି ପୋଲିସ । ଏସଆଇ ଶ୍ୟାମସୁନ୍ଦର ନାୟକଙ୍କ ଏତଲା କ୍ରମେ ଅବରୋଧକାରୀ/ବିକ୍ଷୋଭକାରୀଙ୍କ ବିରୋଧରେ ଅନ୍ୟ ଏକ ମାମଲା ୧୩୨/୨୬ ରୁଜୁ କରାଯାଇଛି । ସରକାରୀ ସମ୍ପତ୍ତି ନଷ୍ଟ କରିବା ଏବଂ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗ ସେମାନଙ୍କ ବିରୋଧରେ ଏପରି ମାମଲା ରୁଜୁ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏଠାରେ ସୂଚନା ଥାଉକି, ଭଦ୍ରକରୁ ଧାମରା ପର୍ଯନ୍ତ ଲମ୍ବିଥିବା ୬୨ କିଲୋମିଟର ରେଳପଥରେ ୪୨ଟି ଫାଟକ ରହିଛି ଏବଂ ଅଧିକାଂଶ ଫାଟକ ଜଗୁଆଳୀ ବିହିନ ମଧ୍ୟ ରହିଛି । ସିଙ୍ଗିଲ୍ ଲାଇନ୍ ପରେ ଡବଲ୍ ଲାଇନ୍ ହୋଇଥିଲେ ମଧ୍ୟ ରେଳପଥରେ ସବୁଆଡେ ଜଗୁଆଳୀ ନିଯୁକ୍ତ କରା ଯାଇନାହିଁ । ଆଦାନୀ ବନ୍ଦର କମ୍ପାନୀର ବେପରୁଆ ନୀତି ପାଇଁ ଦୈନିକ ଲୋକେ ନାହିଁ ନଥିବା ବିପଦରେ ସମ୍ମୁଖିନ ହେଉଛନ୍ତି । ଲୋକଙ୍କ ଠାରୁ ଶାଗମାଛ ଦରରେ ଜମି କିଣିବା, ସରକାରୀ ଜମି ଯଥା ଶ୍ମଶାନ, ଗୋଚର, ଉନ୍ନତ କିସମର ଜମି ଗ୍ରହଣ କରିଥିବା ସଂପୃକ୍ତ କମ୍ପାନୀ ଲୋକଙ୍କୁ ସ୍ୱାର୍ଥକୁ ଭୁଲିଯାଇ କାମ କରୁଛି । ସବୁ ଜାଣି ଅଜଣାର ଅଭିନୟ କରୁଛି ଜିଲ୍ଲା ପ୍ରଶାସନ ।

