ତିହିଡି – ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସ୍ଆଇଆର୍) ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଧରେ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ପକ୍ଷରୁ ଚାନ୍ଦବାଲି ଏନ୍ ଏ ସି ଅନ୍ତର୍ଗତ ପୋଖରୀସାହି ଗ୍ରାମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସ୍ଆଇଆର୍) ନାମରେ ଆମ ଦେଶର ଲକ୍ଷ ଲକ୍ଷ ଦଳିତ, ଆଦିବାସୀ, ସଂଖ୍ୟାଳଘୁ ଓ ବିରୋଧୀ ରାଜନୈତିକ ଦଳ ମାନଙ୍କ ଭୋଟର ମାନଙ୍କୁ ଭୋଟର ତାଲିକାକୁ ବାଦ୍ ଦେବା ପାଇଁ କେନ୍ଦ୍ର ସରକାର ଯେଉଁ ଚକ୍ରାନ୍ତ କରିଛନ୍ତି ତାହା ଭାରତର ଗଣତନ୍ତ୍ରର ମୂଳଭିତ୍ତି ଓ ଭାରତୀୟଙ୍କ ମୌଳିକ ଅଧିକାର ଉପରେ ଶକ୍ତ ଆକ୍ରମଣ ବୋଲି ସିପିଆଇ(ଏମ) ପକ୍ଷରୁ ଅଭିଯୋଗ କରାଯାଇଛି। ନିକଟ ଅତୀତରେ ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟ ଗୁଡିକର ବିଧାନସଭା ନିର୍ବାଚନ ପୂର୍ବରୁ ଏସ୍ ଆଇ ଆର ମାଧ୍ୟମରେ ଲକ୍ଷ ଲକ୍ଷ ଭାରତବାସୀଙ୍କୁ ଭାରତର ନିର୍ବାଚନ କମିଶନ ବାଦ ଦେଇ ଭାରତୀୟ ଜନତା ପାର୍ଟିକୁ ବିଜୟୀ କରିବାରେ ସହାୟକ ହୋଇଛନ୍ତି ଯାହା ଭାରତବାସୀଙ୍କ ଭୋଟ ଦେବାର ଅଧିକାର ଉପରେ ଶକ୍ତ ଆକ୍ରମଣ ଅଟେ ବୋଲି ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ଅଭିଯୋଗ କରିଛି। ନିକଟରେ ଏସ୍ ଆଇ ଆର ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଏହା ସହ ଓଡିଆରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାର ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା,ଆଞ୍ଚଳିକ କମିଟି ସଭ୍ୟ ଦିବାକର ସେନାପତି, ପ୍ରତାପ ମହାଳିକ, ଅଶୋକ ବେହେରା, ଘନଶ୍ୟାମ ଦାସ, ଫକୀର ସ୍ୱାଇଁ, ଶଙ୍କର୍ଷଣ ବିଶ୍ବାଳ, ସୁରେନ୍ଦ୍ର ନାୟକ, ବରିଷ୍ଠ ନେତା ବ୍ରହ୍ମାନନ୍ଦ ପରିଡା ପ୍ରମୁଖ ଯୋଗଦେଇ ଏସ୍ଆଇଆର୍ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ଭତ୍ସର୍ଣ୍ଣା କରିଥିଲେ । ଚାନ୍ଦବାଲି ବ୍ଲକରେ ଯଦି ଜଣେ ଭୋଟର ଏସ୍ ଆଇ ଆର ମାଧ୍ୟମରେ ବାଦ ପଡେ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ବିକ୍ଷୋଭ ରେ ସିପିଆଇ(ଏମ) ନେତୃତ୍ବ ଚେତାବନୀ ଦେଇଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

