ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମର ୧୩୪ତମ ସଂସ୍କରଣ ଟିଭି ମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିବା ବେଳେ ଏହାକୁ ଦେଖିବା ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି କ୍ରମରେ ବାଲେଶ୍ୱର ପୌରାଂଚଳ ଅନ୍ତର୍ଗତ ୧୩ନଂ ୱାର୍ଡରେ ଭାରତୀୟ ଜନତା ପାର୍ଟିର ମହାବୀର ଶକ୍ତିକେନ୍ଦ୍ରରେ ଏହି ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଦେଖିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ଶକ୍ତିକେନ୍ଦ୍ର ଅଧିନ ୧୭୮ନଂ ବୁଥ କର୍ମକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ ଶୁଣିଥିଲେ । ଦେଶବ୍ୟାପୀ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପାରମ୍ପରିକ ଦେଶୀ ପାନୀୟ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାର ଲୋକପ୍ରିୟ ବେଲ ପଣା ଏବଂ ଆମ୍ବ ଭଳି ଦେଶୀ ଖାଦ୍ୟର ଖୁବ ପ୍ରଶଂସା କରିଥିଲେ ।

ଏହାକୁ ନେଇ ସଦର ବିଧାୟକ ଶ୍ରୀ ଦତ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କ ପରାମର୍ଶକୁ ଗ୍ରହଣ ପୂର୍ବକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବେଲପଣା ଓ ଆମ୍ବପଣାକୁ ପାନୀୟ ଭାବେ ଗ୍ରହଣ ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଖରା ଦିନେ ସୁସ୍ଥ ରହିବା ପାଇଁ ସ୍ଥାନୀୟ ଅଂଚଳରେ ମିଳୁଥିବା ପାରମ୍ପରିକ ପାନୀୟ ବେଶ ଲାଭଦାୟକ । ଓଡ଼ିଶାରେ ଘରେ ଘରେ ପ୍ରସ୍ତୁତ ହେଉଥିବା ବେଲ ପଣା ଏକ ପ୍ରାକୃତିକ ଥଣ୍ଡା ପାନୀୟ । ଏହା ପେଟକୁ ଥଣ୍ଡା ରଖିବା ସହ ଗରମରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ । ଲୋକମାନେ ବାହାରର କୃତ୍ରିମ ଥଣ୍ଡା ପାନୀୟ ବଦଳରେ ଏଭଳି ଦେଶୀ ତଥା ପାରମ୍ପରିକ ପାନୀୟ ପିଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶ ଗ୍ରହଣ ପାଇଁ ସଦର ବିଧାୟକ ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି । ସେହିପରି କେବଳ ବେଲ ପଣା ନୁହେଁ ବରଂ ଖରା ଦିନେ ମିଳୁଥିବା ଆମ୍ବର ବ୍ୟବହାରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର ମତ ରଖିଛନ୍ତି । ଆମ୍ବରୁ ପ୍ରସ୍ତୁତ ଆମ୍ବ ପଣା ଏବଂ ଅନ୍ୟାନ୍ୟ ଦେଶୀ ପାନୀୟ ଶରୀରରେ ଜଳୀୟ ଅଂଶ ବଜାୟ ରଖିବାରେ ସହାୟକ ହୋଇଥାଏ । ଭାରତର ବିଭିନ୍ନ ରାଜ୍ୟରେ ଏଭଳି ଅନେକ ପାରମ୍ପରିକ ପାନୀୟ ରହିଛି ଯାହାକୁ ଗ୍ରୀଷ୍ମ ଋତୁରେ ବହୁଳ ଭାବେ ବ୍ୟବହାର କରାଯାଏ । ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଅପିଲ କରିଛନ୍ତି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପ୍ରଚୁର ପରିମାଣରେ ପାଣି ପିଇବା ସହ ଜରୁରୀ କାମ ନଥିଲେ ଦିନ ସମୟରେ ଘରୁ ନ ବାହାରିବାକୁ ସେ କହିଛନ୍ତି । ଏହା ସହିତ ପ୍ରଚଣ୍ଡ ରୌଦ୍ରତାପରେ ପଶୁପକ୍ଷୀଙ୍କ ଶୋଷ ମେଂଟାଇବା ପାଇଁ ଘର ବାହାରେ କିମ୍ବା ଛାତ ଉପରେ ପାଣି ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ପରାମର୍ଶରେ ଥିବା ସାମଗ୍ରିକ ଜନଜୀବନର କଲ୍ୟାଣ ନିମିତ୍ତ ସକରାତ୍ମକ ବାର୍ତ୍ତା ଦେଶବାସୀଙ୍କୁ ରାଷ୍ଟ୍ରପ୍ରେମ, ସାମାଜିକ ଦାୟିତ୍ୱ ଓ ଆତ୍ମନିର୍ଭର ଏବଂ ବିକଶିତ ଭାରତ ଗଠନ ପାଇଁ ନୂତନ ଉତ୍ସାହ ଓ ସଙ୍କଳ୍ପ ପ୍ରଦାନ କରିବ ବୋଲି ସଦର ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୧୩ନଂ ୱାର୍ଡ କାଉନସିଲର ପ୍ରତିମା ବେହେରାଙ୍କ ସହ ଉମାକାନ୍ତ ଷଡ଼ଙ୍ଗୀ, ପବନ କମିଳା, ଉମେଶ ବେହେରା, ସୁଜିତ୍ ବିଶ୍ୱାଳ, ସିଦ୍ଧାନ୍ତ ସାହୁ, ଶୁଭଙ୍କର ପଣ୍ଡା, ସୁମନ୍ତ ମହାପାତ୍ର, ଅଜେନ୍ଦ୍ର ଦାସ, ନିମାଇଁ ନନ୍ଦୀ, ସତ୍ୟଜିତ୍ ସାହୁ, ଶୁଭମ୍ ସାଇ ମହାପାତ୍ର, ସରୋଜ ଗୋଛାୟତ, ତୋଫାନ ବିନ୍ଧାଣି ପ୍ରମୁଖ ଉପସ୍ଥିତ ରହି ‘ମନ କି ବାତ୍’ କାର୍ଯ୍ୟକ୍ରମ ଦେଖିଥିଲେ ।

