ଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ୪ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ସ୍ଥାପନ ହେବ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ ଆଜି ଏହି ସୂଚନା ଦେଇଛନ୍ତି।
ନ୍ୟାସନାଲ କ୍ରିଟ୍ରିକାଲ ମିନେରାଲ ମିସନ (ଏନ୍ସିଏମ୍ଏମ୍) କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ ଗୁରୁତ୍ବପୂର୍ଣ୍ଣ ଖଣିଜ ପାଇଁ ପୃଥକ୍ ଖଣି ବ୍ଲକ ପ୍ରସ୍ତୁତ ହୋଇଛି। ଦେଶ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏଥିଲାଗି ବଡ଼ ନିଲାମ ହାତକୁ ନିଆଯାଇଛି। ବହୁସଂଖ୍ୟକ ଖଣିଜ ବ୍ଲକ୍ ସଫଳତାର ସହ ନିଲାମ ହୋଇସାରିଛି। ବିଦ୍ୟୁତ ଯାନ, ସବୁଜ ଶକ୍ତି, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଏବଂ ଅନ୍ୟାଧୁନିକ ଉତ୍ପାଦନ କ୍ଷେତ୍ରରେ ଏସବୁ ସାମଗ୍ରୀର ଆବଶ୍ୟକତା ଯଥେଷ୍ଟ ରହିଛି। ଏସବୁ ସାମଗ୍ରୀର ଯୋଗାଣକୁ ମଜଭୁତ କରିବା ଲାଗି କେନ୍ଦ୍ର ସରକାର ଅନେକ ଦେଶ ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।

