ତିହିଡି, ୧୪.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ମଧୁପୁର ଗ୍ରାମର ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ଫଳରେ ୨ ଜଣ ନାବାଳକ ଅନାଥ ହୋଇ ଯାଇଛନ୍ତି । ଏହି ଦୁଃଖଦ ପରିସ୍ଥିତି ସମୟରେ ଚାନ୍ଦବାଲି ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଡ଼. ବ୍ୟୋମକେଶ ରାୟ ଅସହାୟ ପରିବାରଙ୍କ ନିକଟରେ ପହଂଚି ଆର୍ôଥକ ସହାୟତା କରିବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବିଧାୟକ ଡ଼. ରାୟଙ୍କ ସହିତ ବିଜେଡି ଜିଲ୍ଲା ଉପସଭାପତି ଶଶିକାନ୍ତ ବିଶ୍ୱାଳ,ପୂର୍ବତନ ସରପଂଚ ମାନସ ରଞ୍ଜନ ସାହୁ, ପୂର୍ବତନ ସମିତିସଭ୍ୟ ଲିଙ୍ଗରାଜ ନାୟକ, ବିଜେଡି ନେତା ବିପିନ ରାଉତ, ଦୀନବନ୍ଧୁ ମହାକୁଡ଼, ନୃସିଂହ ମହାକୁଡ଼, ସୁମନ୍ତ ବିଶ୍ୱାଳ, ଶିତେଶ ନାୟକ, ଅଭିମନ୍ୟୁ ବାରିକ ଓ ସୁରେନ୍ଦ୍ର ବଳ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ, ଗତ ବୁଧବାର ରାତିରେ ପ୍ରମିଳା ଘରେ ଶୋଇଥିବା ବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ତିହିଡି଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିି କରା ଯାଇଥିଲା ।ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଥିବାବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା । ସଂଧ୍ୟାରେ ଶବ ସତ୍କାର ସରିବା ପରେ ସେହିଦିନ ରାତିରେ ମୃତା ମହିଳାଙ୍କ ସ୍ୱାମୀ ପରମାନନ୍ଦ ଘରେ ସେହି ଶୋଇଥିଲେ ଏବଂ ସକାଳେ ତାଙ୍କର ଶରୀରରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କୁ ସାପ କାମୁଡ଼ିଥିବା ପରମାନନ୍ଦ କହିଥିଲେ । ତେବେ ତିହିଡି଼ରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା । ଶୁକ୍ରବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା ଏବଂବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେବେ ସେହି ଦମ୍ପତିଙ୍କ ମୃତ୍ୟୁ ସମାନ ଲକ୍ଷ୍ୟଣ ହୋଇଥିବାରୁ ପ୍ରମିଳାଙ୍କର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା କୁହା ଯାଇଛି । ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସ ଓ ପ୍ରଶାସନକୁ ଅବଗତ କରିଥିଲେ ଏବଂ ମହିଳାଙ୍କ ଶବକୁ ମାଟି ତଳୁ ଖୋଳି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ଦମ୍ପତିଙ୍କ ଦୁଇଟି ନାବାଳକ ସନ୍ତାନ ଅଛନ୍ତି । ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।

