ତିହିଡି, ୧୪.୦୯: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଘଣ୍ଟେଶ୍ୱର ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ଶାନ୍ତି ଫେରାଇ ଆଣିବା ପାଇଁ ଶାନ୍ତି କମିଟି ପକ୍ଷରୁ ଗଦି-ପଞ୍ଚୁଟିକ୍ରି ରାସ୍ତାରୋକ । ଏହି ପଞ୍ଚାୟତରେ ନିୟମିତ ଅପରାଧ ଘଟାଉଥିବା ତଥା ଅଭ୍ୟାସଗତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା, ଖଦାଳପୋଖରୀ ଶାନ୍ତି କମିଟିର ସଦସ୍ୟମାନଙ୍କ ନାମରେ ହୋଇଥିବା ମିଥ୍ୟା ମୋକଦ୍ଦମା ତୁରନ୍ତ ପ୍ରତ୍ୟାହାର କରିବା, ଖଦାଳପୋଖରୀ ପଞ୍ଚାତରେ ଶାନ୍ତି ଫେରାଇ ଆଣିବା ଦାବିରେ ଖଦାଳପୋଖରୀ ଶାନ୍ତି କମିଟି ପକ୍ଷରୁ ଗଦି-ପଞ୍ଚୁଟିକ୍ରି ରାସ୍ତାର ଖଦାଳପୋଖରୀ ଛକ ନିକଟରେ ରାସ୍ତାରୋକ କରା ଯାଇଥିଲା । ଏହି ରାସ୍ତାରୋକ ଆନ୍ଦୋଳନରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ତଥା ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମଞ୍ଚର ସଭାପତି ବିକାଶ ନାଥ, ଆଞ୍ଚଳିକ ସୁରକ୍ଷା ମଞ୍ଚର ସଂପାଦକ ଅଞ୍ଜନ ଦାସ, ଖଦାଳପୋଖରୀ ଶାନ୍ତି କମିଟି ସଭାପତି ଚନ୍ଦ୍ରମଣି ଦାସ, ଖଦାଳପୋଖରୀ ଶାନ୍ତି କମିଟିର ସଂପାଦକ ଚକ୍ରଧର ଦାସ, ଘଣ୍ଟେଶ୍ୱର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ନାଥ, ଶାନ୍ତି କମିଟି ସଭ୍ୟ ହାକିମ ଦାସ, ନବଘନ ବାରିକ୍, ଲକ୍ଷ୍ମୀଧର ବାରିକ୍, ସୁବାସ ଦାସ, ସୁରେନ୍ଦ୍ର ଦାସ, କୈଳାସ ଦାସ, ହରିହର ମାହୁନ୍ତ, ଶ୍ରୀଧର ନାଥ, ଯୁବନେତା ଦୀପକ ଦାସ ପ୍ରମୁଖ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ରାସ୍ତାରୋକ ଆନ୍ଦୋଳନ ସକାଳ ୭.୩୦ ଘଟିକାରୁ ଆରମ୍ଭ ହୋଇଥିଲା । ବାଂଶଡା ପୋଲିସ ସମେତ ଅନ୍ୟାନ୍ୟ ପଦାଧିକାରୀ ଆନ୍ଦୋଳନକାରୀଙ୍କୁ ଭେଟି ଅପରାଧିମାନଙ୍କୁ ଗିରଫ୍ କରାଯିବ ବୋଲି ପ୍ରତିଶୃତି ଦେବାପରେ ଦିବା ପ୍ରାୟ ୩ ଘଟିକାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ତେବେ ପୋଲିସ ଯଦି କୌଣସି ଟାଳଟୁଳୁ ନୀତି ଅବଲମ୍ବନ କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଗଣଧାରଣା ଦେବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନି ଦିଆଯାଇଛି ।

