ନୂଆଦିଲ୍ଲୀ: ପୂର୍ବତନ ଅଭିନେତ୍ରୀ-ମଡେଲ ତ୍ବିଷା ଶର୍ମାଙ୍କ ସ୍ୱାମୀ ସମର୍ଥ ସିଂହ ପୁଲିସକୁ କହିଛନ୍ତି ଯେ, ଗର୍ଭପାତ ପରେ ସେ ଦୁଃଖିତ ଥିଲେ ଏବଂ ଏପ୍ରିଲରେ ସେ ଗର୍ଭବତୀ ଥିବା ଜାଣିବା ପରେ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିଥିଲା। କାରଣ ନ କହି ସେ ତାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ଦାବି କରିଛନ୍ତି।
ଭୋପାଳ ପୁଲିସଠାରୁ ଆନୁଷ୍ଠାନିକ ଭାବେ ତଦନ୍ତ ଦାୟିତ୍ବ ନେବା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମେ ୧୨ ତାରିଖରେ ୩୩ ବର୍ଷୀୟା ତ୍ବିଷାଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ଏଜେନ୍ସି ଏକ ନୂତନ ଏଫ୍ଆଇଆର୍ ଦାଖଲ କରିଛି। ତ୍ବିଷା ଶର୍ମାଙ୍କ ଶାଶୂଘର ଲୋକ ଦାବି କରିଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି, ଯେତେବେଳେ କି ତାଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ, ଶାଶୂଘର ଲୋକ ତ୍ବିଷାଙ୍କୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଶେଷରେ ତାଙ୍କୁ ହତ୍ୟା କରିଛନ୍ତି। ତେବେ ସମର୍ଥ ଓ ତାଙ୍କ ପରିବାର ଦାବି କରିଛନ୍ତି ଯେ ତ୍ବିଷାଙ୍କ ଆଚରଣ ଅନିୟମିତ ଥିଲା ଏବଂ ତାଙ୍କ ମୃତ୍ୟୁରେ ସେମାନଙ୍କର କୌଣସି ଭୂମିକା ନାହିଁ। ପ୍ରାୟ ୧୦ ଦିନ ଧରି ଫେରାର ରହିବା ପରେ ଜବଲପୁରରୁ ଗିରଫ ହୋଇଥିବା ସମର୍ଥ ସିଂହ ବର୍ତ୍ତମାନ କଟାରା ହିଲ୍ସ ଥାନାରେ ସାତ ଦିନିଆ ପୁଲିସ ରିମାଣ୍ଡରେ ଅଛନ୍ତି।

