ତିହିଡି – ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ତୈଳ ଓ ରନ୍ଧନ ଗ୍ୟାସ ର ସଂକଟ, ନିଟ୍ ପରୀକ୍ଷାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ପକ୍ଷରୁ ମତୋ ଠାରେ ଗଣ ପ୍ରତିବାଦ କରା ଯାଇଥିଲା । ବାଲେଶ୍ବର ଜିଲ୍ଲା ରେମୁଣା ଠାରେ ପିକ୍ଅପ୍ ଡ୍ରାଇଭରକୁ ଭିଡହତ୍ୟା, ପୁରୀ ଜିଲ୍ଲା ପିପିଲିରେ ବୁଲେଟ ଚଢାଇ ଭିଡହତ୍ୟା, ବାଲିଅନ୍ତାରେ ରେଳ ସୁରକ୍ଷା ବଳ କନେଷ୍ଟବଳ ସୌମ୍ଯଙ୍କୁ ଭିଡହତ୍ୟା, ନୟାଗଡରେ ପଥର ମାଫିଆ ମାନେ ଘଟାଇଥିବା ହତ୍ୟା, କେନ୍ଦ୍ରାପଡାରେ ଭିଡହିଂସା ଓ ହତ୍ୟା ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି କୁ ବିପର୍ଯ୍ୟସ୍ତ କରିଛି । ଏହି ସମସ୍ତ ଭିଡହତ୍ୟାରେ ଆରଏସ୍ଏସ୍ ଓ ବିଜେପି କର୍ମୀମାନେ ନେତୃତ୍ବ ନେଉଛନ୍ତି ଓ ରାଜ୍ୟ ସରକାର ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉ ଥିବାରୁ ସିପିଆଇ(ଏମ) ନେତୃତ୍ବ ରାଜ୍ୟ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ଭାରତର ଅର୍ଥନୈତିକ ସାର୍ବଭୌମତ୍ୱକୁ ବନ୍ଧି ପକାଇ ବିଶ୍ବର ସମସ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସହିତ ଶତୃତା ସୃଷ୍ଟି କରି ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଯେଉଁ ସଂକଟ ସୃଷ୍ଟି କରିଛନ୍ତି ଯାହା ଫଳରେ କୋଟି କୋଟି ଲୋକ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରେ ଅପେକ୍ଷା କରୁଛନ୍ତି । ଓଡିଶାରେ ୪ ଜଣ ରୋଗୀ ଆମ୍ବୁଲାନ୍ସରେ ତୈଳ ଅଭାବରୁ ମୃତ୍ୟୁବରଣ କରିଛନ୍ତି । ଗତ ୪ ଦିନ ଧରି ଓଡିଶାରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ସ୍ତବ୍ଧ ହୋଇଛି । ଏହି ସଂକଟ ପାଇଁ ଦାୟୀ ପ୍ରଧାନମନ୍ତ୍ରୀ , କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ରାଜ୍ୟ ଯୋଗାଣ ମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସିପିଆଇ(ଏମ)ର ନେତୃବୃନ୍ଦ ଦାବି କରିଥିଲେ । କେନ୍ଦ୍ର ପ୍ରବେଶିକା ପରୀକ୍ଷା ନିଟର ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଆମ ଦେଶର ମେଧାବୀ ଛାତ୍ର ଛାତ୍ରୀ ମାନେ ଆତ୍ମହତ୍ୟା କରୁଛନ୍ତି। ଏହି ଆନୁଷ୍ଠାନିକ ଛାତ୍ର ହତ୍ୟା ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହତ୍ୟା ମକଦ୍ଦମାରେ ସାମିଲ କରି ତାଙ୍କୁ ଅବିଳମ୍ବେ ଗିରଫ କରା ଯିବାକୁ ସିପିଆଇ(ଏମ)ର ନେତୃବୃନ୍ଦ ଏହି ବିକ୍ଷୋଭ ମାଧ୍ୟମରେ ଦାବି କରିଥିଲେ । ବୁଲେଟ ଟ୍ରେନ୍ ଚଳାଇବା ପ୍ରତିଶୃତି ଦେଇ ବର୍ତ୍ତମାନ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କୁ ସାଇକେଲ ଚଲାଇବା ପାଇଁ ଯେଉଁ ପରାମର୍ଶ ଦେଉଛନ୍ତି ତାହାକୁ ସିପିଆଇ(ଏମ) ନେତୃତ୍ବ ଭତ୍ସର୍ଣ୍ଣା କରିଥିଲେ । ଏହି ଗଣ ପ୍ରତିବାଦରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ବରିଷ୍ଠ ନେତା ରବି ପଟ୍ଟନାୟକ, ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଆଞ୍ଚଳିକ କମିଟି ସଭ୍ୟ ଜୟୀରାମ ଦାସ, କାହ୍ନୁ କିଶୋର ସାହୁ, ଅଶୋକ ବେହେରା, ଫକୀର ସ୍ୱାଇଁ, ବ୍ରହ୍ମାନନ୍ଦ ପରିଡା, ଗଦାଧର ମଲ୍ଲିକ, ଘନଶ୍ୟାମ ଦାସ, ଦିବାକର ସେନାପତି, ସୃଷ୍ଟିଧର ବିଶ୍ବାଳ, ମହିଳା ନେତ୍ରୀ ପ୍ରତିଭା ପଣ୍ଡା ପ୍ରମୁଖ ବକ୍ତବ୍ଯ ପ୍ରଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ସନା କରିଥିଲେ ଓ ଆଗାମୀ ଦିନରେ ଏହି ଅର୍ଥନୈତିକ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ବୃହତର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

