କେନ୍ଦ୍ରାପଡା : ପାରିବାରିକ କଳହର କରୁଣ ପରିଣତି । ନିଜ ଘର ଆଗରେ ମାଟି ପକାଇବାକୁ କେନ୍ଦ୍ର କରି ଜଣେ ହୋମିଓପାଥି ଡାକ୍ତରଙ୍କୁ ସଂଘବଦ୍ଧ ହୋଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବାରଡାଙ୍ଗ ଗାଁରେ ଜମିବାଡି ବିବାଦରୁ ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗୋଲକ ଚନ୍ଦ୍ର ନାଉରୀ । ତାଙ୍କର ପାରାଦୀପ ଓ ମାର୍ଶାଘାଇରେ କ୍ଲିନିକ ଅଛି ।
ଗୁରୁବାର ବିଳମ୍ବିତ ରାତିରେ ଗୋଲକ ଏବଂ ତାଙ୍କ ବଡ ଭାଇ ଅଭୟଙ୍କ ମଧ୍ୟରେ ପୂର୍ବ ଜମିବାଡ଼ି ବିବାଦକୁ ନେଇ ପାଟିତୁଣ୍ଡ ହୋଇଥିଲା । ଗଣ୍ଡଗୋଳ ବଢ଼ିବାରୁ ଅଭୟ ଏବଂ ତାଙ୍କ ପରିବାରର ଅନ୍ୟ ମାନେ ମିଶି ଗୋଲକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୋଲକ ଅଚେତ୍ ହୋଇ ତଳେ ପଡିଯିବା ପରେ ମଧ୍ୟ ଆକ୍ରମଣକାରୀ ତାଙ୍କୁ ମାଡ ମାରି ଚାଲିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଗୋଲକଙ୍କୁ ପ୍ରଥମେ ମହାକାଳପଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ତାଙ୍କୁ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି ।

