ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କୃଷ୍ଣଚୂଡ଼ାର ହସ କାର୍ଯ୍ୟକ୍ରମ।
ଧୂଳି ଧୂସରିତ ବୈଶାଖର ଛାତିରେ ଯେବେ ଉଙ୍କିମାରେ କୃଷ୍ଣଚୂଡ଼ାର ହସ, ସେତେବେଳେ ଯନ୍ତ୍ରଣାର ପାଉଁଶ ତଳୁ ଜନ୍ମନିଏ ଜୀବନର ନୂଆ ବିଶ୍ୱାସ। ପ୍ରକୃତିର ଶାଶ୍ୱତ ରୂପ ଏବଂ ମାନବୀୟ ସମ୍ପର୍କର ସୂକ୍ଷ୍ମତା ମଧ୍ୟରେ କୃଷ୍ଣଚୂଡ଼ା ଏକ ସେତୁ ସଦୃଶ ଓ ଏହା ମଣିଷର ଯାତନା ନିଦାଘରେ ପ୍ରେମର ଶ୍ରେଷ୍ଠ ଅଳଙ୍କାର ବିଛେଇଦିଏ ବୋଲି ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ‘କୃଷ୍ଣଚୂଡ଼ାର ହସ’ ସାରସ୍ବତ ଗ୍ରୀଷ୍ମ ଆଲୋଚନା ଓ କବିତା ପାଠୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମଞ୍ଚର ଉପଦେଷ୍ଟା ଅଧ୍ୟାପକ ଡ. ବିଶ୍ବରଂଜନ ଦାସ ପୌରୋହିତ୍ୟରେ ରବିବାର ଅପରାହ୍ଣରେ ସ୍ଥାନୀୟ ବ୍ରିଗେଡ୍ ସୈନିକ ସ୍କୁଲ୍ ପରିସରରେ ଅନୁଷ୍ଠିତ ‘କୃଷ୍ଣଚୂଡ଼ାର ହସ’ ଶୀର୍ଷକ ସାରସ୍ବତ ଗ୍ରୀଷ୍ମ ଆଲୋଚନା ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାସ ଯୋଗଦେଇ ପ୍ରକୃତି ଓ ମାନବୀୟ ପ୍ରେମ ମଧ୍ୟରେ କୃଷ୍ଣଚୂଡ଼ା ରଙ୍ଗ ଗଭୀର ଜୀବନଦର୍ଶନର ସଙ୍କେତ ବହନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଘଟଗାଁ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ କବି ଚିତ୍ତରଞ୍ଜନ ନାୟକ ଯୋଗଦେଇ ବିଶ୍ବ ସାହିତ୍ୟର ପ୍ରେକ୍ଷାପଟରେ ବିମଳ ରସାନନ୍ଦର ଅନ୍ବେଷା ଉଭୟ ସୃଜନ ଜଗତରେ ଓ କୃଷ୍ଣଚୂଡ଼ାର ରଙ୍ଗୀନ ଆଭାରେ ଫୁଟି ଉଠିଥାଏ ବୋଲି କହିଥିଲେ। ମଞ୍ଚର ଆବାହକ ଗାଳ୍ପିକ କୈଳାସ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ବିଶ୍ବଜିତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ଉର୍ଦ୍ଧୁକବି ମୁସ୍ତାକ ଗହ୍ୱରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଯୁବକବି ନିରଞ୍ଜନ ବାରିକ, କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ସେନାଧିକାରୀ କବି ବିଶ୍ବନାଥ ନାୟକ, ଶିଶୁ ସାହିତ୍ୟିକ କଳ୍ପତରୁ ସେଠୀ, କବି ପି. ହୃଷୀକେଶ, ନରହରି ନାୟକ,ନୀଳମାଧବ ସେନାପତି,ସୁବାସ ଚନ୍ଦ୍ର ଦାଶ, ଜୟନ୍ତ କୁମାର ମହାନ୍ତି, ବିଜୟ କୁମାର ବେହେରା ,ଆଶୁତୋଷ କରଣ, ବୈକୁଣ୍ଠନାଥ ଓଝା, ମୁକୁନ୍ଦଦେବ ନାୟକ, ବସନ୍ତ କୁମାର ଦାସ, ପୀତାମ୍ବର ସେଠୀ, ବିପ୍ଳବ ରଞ୍ଜନ ପତି, ଅଧିବକ୍ତା ପ୍ରଦୀପ କୁମାର ମହାନ୍ତି, ରଞ୍ଜନ କୁମାର ନାୟକ, ମନୋରଞ୍ଜନ ମୁଦୁଲି, ଶେଖ୍ ଅବଦୁଲ୍ ଦୟାନ୍, ସୁବାସ ମହାନ୍ତି, ରୁବିଲତା ଦାସ,ଜ୍ଞାନରଞ୍ଜନ ନାୟକ,ହରିହର ମଳିକ, ନୀଳାମ୍ବର ସେଠୀ ପ୍ରମୁଖ କବି ସ୍ବରଚିତ କବିତାପାଠ କରିଥିଲେ। ଶିକ୍ଷୟିତ୍ରୀ ବିଶ୍ବମୈତ୍ରୀ ନାୟକ ବେଦପାଠ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମଞ୍ଚର ସଂଯୋଜକ ଯୁବକବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

