ଭଦ୍ରକ – ରାଉରକେଲା ସରକାରୀ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି, ରାଉରକେଲା ଆଇନ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି, ସିଆଇଟିୟୁର ରାଜ୍ୟ ସାଧାରଣ ସଂପାଦକ, ସିଆଇଟିୟୁର ସର୍ବଭାରତୀୟ ଉପସଭାପତି, ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ, ତାଳଚେର- ବିମଳାଗଡ ରେଳପଥ ଆନ୍ଦୋଳନର ଅନ୍ୟତମ ନେତା, କାଲ୍ଟା ମାଇନ୍ସ- କୋଇଡା ମାଇନ୍ସ- ରୁଙ୍ଗଟା ମାଇନ୍ସ ଶ୍ରମିକ ମାନଙ୍କ ପ୍ରମୁଖ ନେତା, ଆଶା- ଅଙ୍ଗନୱାଡି- ନିର୍ମାଣ ଶ୍ରମିକ-ଷ୍ଟେସନ କୁଲି ଓ ବିଭିନ୍ନ ଖଣି ଶ୍ରମିକ ମାନଙ୍କ ମୂଖ୍ୟ ନେତା, ଇସ୍ପାତ ନଗରୀ ରାଉରକେଲାର ଜନପ୍ରିୟ ନେତା ବିଷ୍ଣୁ ମହାନ୍ତିଙ୍କ ସ୍ମୃତି ଚାରଣ ସଭା ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ବରେ ଭଦ୍ରକ ସହର ନେତାଜୀ ନଗରସ୍ଥିତ ଜାନକୀ ନିଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ବିଷ୍ଣୁ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ଠାରେ ଜନ୍ମ ଗ୍ରହଣ କରି ହାଇସ୍କୁଲ ଶିକ୍ଷା ପରେ ପରିବାରର ଆର୍ଥିକ ଅନାଟନ ଯୋଗୁଁ ରାଉରକେଲା ଯାଇଥିଲେ। ସେ ସେଠାରେ ଖୁବ୍ କଷ୍ଟରେ ଘରୋଇ ଟିଉସନ କରି ରାଉରକେଲା ସରକାରୀ ମହାବିଦ୍ୟାଳୟରେ ପାଠ ପଢିଥିଲେ । ସେ ଭାରତର ଛାତ୍ର ଫେଡେରସନର ନୀତି, ଲକ୍ଷ୍ୟ ,ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇ ଏସ୍ଏଫ୍ଆଇର ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ରାଉରକେଲା କୋର୍ଟରେ କିଛି ଦିନ ଓକିଲାତି ମଧ୍ୟ କରିଥିଲେ । ସେ ଥିଲେ ଜଣେ ବିଶିଷ୍ଟ ଆଇନଜୀବୀ । ଶ୍ରମିକ-ମାଲିକ ବିବାଦ ସମୟରେ ମାଲିକ ଶ୍ରେଣୀ ପାଖରେ ଶ୍ରମ ଆଇନକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ହାସଲ କରୁଥିଲେ । ସେ ସିପିଆଇ (ଏମ) ଦଳର ସଦାବେଳିଆ କର୍ମୀ ଥିଲେ । ତାଙ୍କ ନେତୃତ୍ବରେ ସୁନ୍ଦରଗଡ ଜିଲ୍ଲା ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସିପିଆଇ(ଏମ)ର ଆଦର୍ଶ ବିଧାୟକ ଲକ୍ଷ୍ମଣ ମୁଣ୍ଡା ନିୟମିତ ଜିତି ଆସୁଛନ୍ତି । ୧୯୭୫ ମସିହା ଜରୁରୀ କାଳୀନ ପରିସ୍ଥିତି ସମୟରେ ଓଡିଶାର ପ୍ରଥମ ମିଶା ବଂଦୀ ଭାବେ ସେ ୨୪ ମାସ ଜେଲଖାନାରେ ଥିଲେ । ପୁଞ୍ଜିପତି ଶ୍ରେଣୀ ବିରୁଦ୍ଧରେ ଲଢେଇ କରି ୭ ବର୍ଷ ୬ ମାସ ୮ ଦିନ ସେ ଓଡିଶାର ବିଭିନ୍ନ ଜେଲଖାନାରେ ଥିଲେ। ନିମୋନିଆ ରୋଗରେ ପୀଡ଼ିତ ହୋଇ ସେ ୭୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଗତ ମ ମଇ ମାସ ୯ ତାରିଖ ସକାଳ ୩: ୧୫ ମିନିଟ୍ ସମୟରେ ମୃତ୍ୟୁ ବରଣ କରିଥିଲେ । ସେ ଥିଲେ ଜଣେ ନିର୍ଭୀକ ଜନନେତା ତଥା ଓଡିଶା ଲାଲ୍ ଆକାଶର ଅନ୍ୟତମ ଶ୍ରେଷ୍ଠ ତାରକା । ତାଙ୍କ ସ୍ମୃତିଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରଫୁଲ୍ଲ ପାଢୀ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ବରିଷ୍ଠ ଶ୍ରମିକ ନେତା ଅଭିନ୍ନ ଚନ୍ଦ୍ର ରାୟ, ମହିଳା ନେତ୍ରୀ ସୁରଜିତା ନାୟକ, ବରିଷ୍ଠ ଚାଷୀ ନେତା ନିରଞ୍ଜନ ପାଣି, ଯୁବନେତା ସେକ୍ ସନାଉଲ୍ଲା, ଯୁବନେତା ପ୍ରତାପ ସେଠୀ ପ୍ରମୁଖ ବିଷ୍ଣୁ ମହାନ୍ତିଙ୍କ ନୀତି, ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ।

