ଭୁବନେଶ୍ୱର : ଓଡ଼ିଶାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ । ଅସ୍ତବ୍ୟସ୍ତ ଜନଜୀବନ। ଗ୍ରୀଷ୍ମର ପ୍ରଚଣ୍ଡ ଦାଉରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଛି । ହେଲେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଲୋକମାନେ ହଇରାଣ ହୋଇଛନ୍ତି ।
ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିବା ସହ ‘କାଳବୈଶାଖୀ’ ନିଜର ପ୍ରଭାବ ଦେଖାଇଛି । କେଉଁଠି ମୁଶଳଧାରା ବର୍ଷା ଗରମରୁ ସାମାନ୍ୟ ନିସ୍ତାର ଦେଇଛି ତ କେଉଁଠି ବଜ୍ରପାତ ଏବଂ ପ୍ରବଳ ପବନ ଯୋଗୁଁ ଧନଜୀବନ ବ୍ୟାହତ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସର୍ବାଧିକ ପ୍ରଭାବଶାଳୀ ଥିଲା । ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ ଓ ଗଞ୍ଜାମ ଭଳି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇଛି। ରାୟଗଡ଼ା ଓ କୋରାପୁଟରେ କୁଆପଥର ବର୍ଷା ହୋଇଥିଲା । ପ୍ରବଳ ଧୂଳିଝଡ଼ ସାଙ୍ଗକୁ ହଠାତ୍ ବର୍ଷା ଯୋଗୁଁ ଯାତାୟାତରେ ଅନେକ ବାଧା ସୃଷ୍ଟି ହୋଇଥିଲା ।
ଗତକାଲି ଭୁବନେଶ୍ୱର ଏବଂ କଟକରେ ଦିନ ତାପମାତ୍ରା ୩୯ ଡିଗ୍ରୀ ପାଖାପାଖି ରହିଥିଲା । ମାତ୍ର ଅପରାହ୍ନ ପ୍ରାୟ ୪ଟା ପରେ ହଠାତ୍ ଆକାଶ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇଯାଇଥିଲା । ପ୍ରବଳ ପବନ ସହ କିଛି ସମୟ ପାଇଁ ବର୍ଷା ହେବା ଫଳରେ ତାପମାତ୍ରାରେ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିଛି । ଫଳରେ ଲୋକେ ଗରମରୁ କିଛିଟା ଶାନ୍ତି ପାଇଛନ୍ତି । ଝଡ଼ର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୬୦ କିମି ରହିଥିଲା । ଯାଜପୁର, ଭବାନୀପାଟଣା ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଭୁବନେଶ୍ୱରର ରସୁଲଗଡ଼ ଓ ସାମନ୍ତରାପୁରରେ ଟ୍ରାନ୍ସଫର୍ମର ତ୍ରୁଟି ଓ ତାର ଛିଣ୍ଡିବା ଯୋଗୁଁ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଚାଳ ଘରର ଛାତ ଉଡ଼ିବା ସହ କେତେକ ସ୍ଥାନରେ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି । ପବନର ବେଗ ଅଧିକ ରହୁଥିବାରୁ ସମୁଦ୍ରରେ ଉଚ୍ଚ ଲହରୀ ଉଠୁଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଏଭଳି ବିକ୍ଷିପ୍ତ କାଳବୈଶାଖୀ ଜାରି ରହିବାର ସମ୍ଭାବନା ଅଛି । ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କରିଛି ପାଣିପାଗ ବିଭାଗ ।

