ଓଡିଶା କ୍ଷେତମଜଦୂର ୟୁନିୟନ ଚାନ୍ଦବାଲି ବ୍ଲକ ସମ୍ମିଳନୀ ଅନୁଷ୍ଠିତ : ତିହିଡି- ଭିବିଜିରାମଜି ଆଇନକୁ ବାତିଲ କରି ପୂର୍ବପରି ଏମଜିଏନ୍ଆରଇଜିଏକୁ କାର୍ଯ୍ୟକାରୀ କରିବା, କ୍ଷେତମଜଦୂର ମାନଙ୍କ ଦୈନିକ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା, ମୋଦି ଓ ମୋହନ ମାଝୀ ସରକାର ଜାତୀୟ ସଂପତ୍ତି ବିକ୍ରି କରିବା ବନ୍ଦ କରିବା ଆଦି ଦାବି ନେଇ ଓଡିଶା କ୍ଷେତମଜଦୂର ୟୁନିୟନର ୮ମ ବ୍ଲକ ସମ୍ମିଳନୀ କ୍ଷେତମଜଦୂର ନେତା ସୁବାଷ ଦାସଙ୍କ ସଭାପତିତ୍ବରେ ମତୋ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ ଯୋଗଦେଇ କ୍ଷେତମଜଦୂର ମାନଙ୍କ ନ୍ୟାର୍ଯ୍ୟ ଦାବି ଓ ଅଧିକାର ସଂପର୍କରେ ଆଲୋଚନା କରିଥିଲେ । କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ ଯୋଗଦେଇ ସମ୍ବିଧାନ ଓ କ୍ଷେତମଜଦୂର ମାନଙ୍କ ସାମ୍ବିଧାନିକ ଅଧିକାର ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବେ ଯୁବନେତା ବିକାଶ ନାଥ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷେତମଜଦୂର ବିରୋଧୀ, ଜନବିରୋଧି ଓ କର୍ପୋରେଟ ସପକ୍ଷବାଦୀ ନୀତିର ତୀବ୍ର ସମାଲୋଚନା କରିବା ସହ ମୋଦି ସରକାରଙ୍କ ନବ୍ୟଫାଶୀବାଦୀ ଶାସନ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ମଳୟ ଭୋଇ, କୃଷକ ନେତା ଅଶୋକ ବେହେରା, ବ୍ରହ୍ମାନନ୍ଦ ପରିଡା, ଶିକ୍ଷକ ନେତା ସାଧୁଚରଣ ନାୟକ, ମହିଳା ନେତ୍ରୀ କାମିନୀ ଭୋଇ, କ୍ଷେତମଜଦୂର ନେତା ସୁରେନ୍ଦ୍ର ଦାସ ପ୍ରମୁଖ କ୍ଷେତମଜଦୂର ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଓଡିଶା କ୍ଷେତମଜଦୂର ୟୁନିୟନର ଏକ ୧୫ ଜଣିଆ ବ୍ଲକ କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଥିଲା। ବରିଷ୍ଠ କ୍ଷେତମଜଦୂର ନେତା ଘନଶ୍ୟାମ ଦାସ ବ୍ଲକ ସଭାପତି ଓ କ୍ଷେତମଜଦୂର ନେତା ସୁରେନ୍ଦ୍ର ଦାସ ସଂପାଦକ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ଏହି ସମ୍ମିଳନୀରେ ୫୩ ଜଣ ପ୍ରତିନିଧି ଯୋଗ ଦେଇଥିବା ବେଳେ ଆସନ୍ତା ଅପ୍ରେଲ ୨୬ ଭଦ୍ରକ ଠାରେ ଅନୁଷ୍ଠିତ ହେବାକୁ ଥିବା କ୍ଷେତମଜଦୂର ୟୁନିୟନ ର ଜିଲ୍ଲା ସମ୍ମିଳନୀରେ ଯୋଗ ଦେବା ପାଇଁ ୧୫ ଜଣ ପ୍ରତିନିଧି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

