ନୂଆଦିଲ୍ଲୀ: ମହିଳାଙ୍କୁ ମୋଦିଙ୍କ କ୍ଷମା ପ୍ରାର୍ଥନା । ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହୋଇନପାରିବାରୁ କ୍ଷମା ମାଗି ଭାବୁକ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଲ୍ ପାସ୍ କରାଇବାରେ ସଫଳ ନହେବା କାରଣରୁ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମହିଳାଙ୍କୁ ସାର୍ବଜନୀନ ଭାବେ କ୍ଷମା ମାଗିଛନ୍ତି। ସରକାରଙ୍କ ଆନ୍ତରିକ ଚେଷ୍ଟା ସତ୍ତ୍ୱେ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି କହିଛନ୍ତି ମୋଦି। ବିଲ୍ ଅଟକିଯିବା ଦ୍ୱାରା ମହିଳା ସଶକ୍ତିକରଣ ଅଭିଯାନରେ ଏକ ବଡ଼ ବାଧା ସୃଷ୍ଟି ହୋଇଛି । ମାତୃଶକ୍ତିଙ୍କ ଆଶା-ଆକାଂକ୍ଷାକୁ ଚାପି ଦିଆଯାଇଛି ବୋଲି ଅତ୍ୟନ୍ତ ଦୁଃଖର ସହ କହିଛନ୍ତି । କେବଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଦଳଗୁଡ଼ିକ ଏହି ବିଲ୍ କୁ ଅଟକାଇ ଦେଲେ ବୋଲି ପ୍ରଧାନମନ୍ତ୍ରୀ ସିଧାସଳଖ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଏହି ପଦକ୍ଷେପ ସେମାନଙ୍କର ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ।
ସେମାନଙ୍କର ଏହି ପ୍ରକୃତ ରୂପ ଜନସାଧାରଣଙ୍କ ସାମ୍ନାକୁ ଆଣିବାକୁ ଆହ୍ୱାନ କରିଛନ୍ତି ମୋଦି । ମହିଳା ସଂରକ୍ଷଣ ବିଲ୍ ଗଣତନ୍ତ୍ର ପାଇଁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଏବଂ ଏହା ଦ୍ୱାରା ଶାସନ ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ ବୋଲି ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବିଫଳତା “ଶେଷ ନୁହେଁ” । ସବୁ ବାଧାବିଘ୍ନ ଦୂର କରି ମହିଳାମାନଙ୍କୁ ସେମାନଙ୍କ ହକ ଦେବା ପାଇଁ ସେ ପୁଣି ଥରେ ସଂଗ୍ରାମ କରିବେ । ବିଲକୁ ବିରୋଧ କରିଥିବା ଦଳଗୁଡ଼ିକୁ ଆଗାମୀ ଦିନରେ ଏହାର ରାଜନୈତିକ ପରିଣାମ ଭୋଗିବାକୁ ପଡ଼ିବ ଏବଂ ଏହା ନିର୍ବାଚନରେ ଏକ ବଡ଼ ପ୍ରସଙ୍ଗ ହେବ ବୋଲି ସେ ସୂଚନା ଦେଇଛନ୍ତି । ସଂରକ୍ଷଣ କୌଣସି ଉପହାର ବା ସାହାଯ୍ୟ ନୁହେଁ, ବରଂ ଏହା ମହିଳାମାନଙ୍କର ଏକ ଅଧିକାର। ଦୀର୍ଘ ଦିନର ଅନ୍ୟାୟକୁ ସଂଶୋଧନ କରିବା ପାଇଁ ଏହି ବିଲ୍ ଅଣାଯାଇଥିଲା । ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ଭ୍ରମ ସୃଷ୍ଟି କଲେ ଏବଂ ଏହା ଦ୍ୱାରା ହିଁ ବିଲ୍ ଟି ବିଫଳ ହେଲା ବୋଲି ସେ ଦର୍ଶାଇଛନ୍ତି । ମୋଦୀଙ୍କ ସମ୍ବୋଧନରେ ଉଭୟ ଭାବପ୍ରବଣତା (କ୍ଷମା) ଏବଂ ଦୃଢ଼ ରାଜନୈତିକ ଆକ୍ରମଣ ଦେଖିବାକୁ ମିଳିଥିଲା ।

