ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏଣିକି ସବୁଦିନ ପାଇଁ ଖାଲି ପଡିବ ୧୧ଟି ସିଟ୍ । RCB ବିଜୟତ୍ସୋବ ବେଳେ ଦଳାଚକଟାରେ ପ୍ରାଣ ହରାଇଥିବା ୧୧ ଜଣ କ୍ରିକେଟ ପ୍ରଶଂସକଙ୍କ ସ୍ମୃତିରେ ଏଭଳି ନିଷ୍ପତ୍ତି ନେଇଛି RCB ଏବଂ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ । ଜୁନ୍ ୨୦୨୫ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ IPL ଟ୍ରଫି ଜିତିଥିଲା । ଏହି ଖୁସି ମନାଇବା ପାଇଁ ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକ ରୁଣ୍ଡ ହୋଇଥିଲେ । ମାତ୍ର ପ୍ରବଳ ଭିଡ଼ ଯୋଗୁଁ ସେଠାରେ ଦଳାଚକଟା ହୋଇଥିଲା, ଯେଉଁଥିରେ ୧୪ରୁ ୨୯ ବର୍ଷ ବୟସର ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା ।
ସେହି ମୃତ ପ୍ରଶଂସକଙ୍କ ସ୍ମୃତିରେ RCB ଏବଂ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଷ୍ଟାଡିୟମର ଏକ ପ୍ରମୁଖ ସ୍ଥାନରେ P1 ଷ୍ଟାଣ୍ଡ ୧୧ଟି ସିଟ୍ ସବୁଦିନ ପାଇଁ ଖାଲି ରହିବ । କୌଣସି ବି ମ୍ୟାଚ୍ ପାଇଁ ଏହି ସିଟ୍ ର ଟିକେଟ୍ ବିକ୍ରି ହେବ ନାହିଁ । ସେଠାରେ ଏକ ସ୍ମୃତି ଫଳକ ମଧ୍ୟ ଲଗାଯିବ, ଯାହା ଦର୍ଶାଇବ ଯେ ସେହି ୧୧ ଜଣ ପ୍ରଶଂସକ ସବୁଦିନ ପାଇଁ ଦଳ ସହ ଅଛନ୍ତି । RCB CEO ରାଜେଶ ମେନନ କହିଛନ୍ତି ଯେ, ଏହା ସେହି ପ୍ରଶଂସକମାନଙ୍କ ପ୍ରତି ଏକ ସମ୍ମାନ, ଯେଉଁମାନେ ଦଳ ପାଇଁ ନିଜ ଜୀବନ ହରାଇଲେ । ଏହା ସହିତ ଖେଳାଳିମାନେ ମଧ୍ୟ କିଛି ଖାସ ଦିନରେ ୧୧ ନମ୍ବର ଜର୍ସି ପିନ୍ଧି ସେମାନଙ୍କୁ ମନେ ପକାଇବେ ।

