ତିହିଡି଼- ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକକୁ ଅନ୍ୟ ଏକ ବାଇକର ଧକ୍କା ହେବା ଫଳରେ ଆଦିତ୍ୟ ମହାଳିକ (୩୮)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ଏଥିସହ ବାଇକ ପଛରେ ବସିଥିବା ତାଙ୍କ ସ୍ତ୍ରୀ ଝରଣା (୩୪)ମଧ୍ୟ ଆହତ ହୋଇଥିବା ଜଣାଯାଇଛି l ମୃତ ଯୁବକଙ୍କ ଘର କୋହ୍ଲ ପଞ୍ଚାୟତ ଅଧୀନ ଓରଡ଼ା ଗ୍ରାମରେ ବୋଲି ଜଣା ଯାଇଛି l ଆଦିତ୍ୟ ମଙ୍ଗଳପୁର ସମବାୟ ସମିତି ପରିଚାଳନା କମିଟିର ସଦସ୍ୟ ଥିଲେ l ସେ ବାଇକରେ ତାଙ୍କ ସ୍ତ୍ରୀକୁ ନେଇ କୋହ୍ଲସ୍ଥିତ ମହିଳା ମହାସଂଘ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା l ଯାହା ଫଳରେ ଆଦିତ୍ୟ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ l ଉଭୟଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ ଆଦିତ୍ୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

