ଭୁବନେଶ୍ୱର : ପ୍ରତି ଘରକୁ ମିଳିବ ପିଇବା ପାଣି। ହର୍ ଘର ଜଲ ଲକ୍ଷ୍ୟ ପୂରଣ ପାଇଁ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ। ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ପାଇଁ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଏବଂ ରାଷ୍ଟ୍ର ମନ୍ତ୍ରୀ ବି. ସୋମନ୍ନା ଏମଓୟୁ ସ୍ବାକ୍ଷର ବେଳେ ଉପସ୍ଥିତ ଥିଲେ। ଭିଡିଓ କନଫରେନସରେ ଏଥିରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିଲେ।
ଦେଶର ୭୭.୩ ପ୍ରତିଶତ ପରିବାରକୁ ଏପର୍ଯ୍ୟନ୍ତ ଟ୍ୟାପ୍ ସଂଯୋଗ ମିଳିଛି। କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ମିଶନର ସମ୍ପ୍ରସାରଣ ୨୦୨୮ ପର୍ଯ୍ୟନ୍ତ ଅନୁମୋଦନ ମିଳିଥିବା ଓ ‘ହର ଘର ଜଳ’ ଲକ୍ଷ୍ୟ ପୂରଣ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜଳ ଜୀବନ ମିଶନ 2.0 ଅନୁଯାୟୀ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।
ଅପରେସନ ଓ ମେଣ୍ଟେନାନସ ପଲିସୀ ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାରି, ଆର୍ଥିକ ସ୍ଥିରତା ଓ ସଠିକ୍ ରକ୍ଷଣାବେକ୍ଷଣ ଉପରେ ଜୋର ଦିଆଯାଉଛି। ସୁଜଳମ୍ ଭାରତ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫ହଜାର ଗ୍ରାମୀଣ ପାଇପ ଜଳ ଯୋଜନାର ID ପ୍ରସ୍ତୁତ କରାଯାଇଛି। ସମସ୍ତ ଯୋଜନାର ବିତ୍ତୀୟ ସମନ୍ୱୟ ସମ୍ପନ୍ନ ହୋଇଛି। ଓଡିଶାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦିନକୁ ୭୦ ଲିଟର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।
ଏହି ମିଶନରେ ରାଜ୍ୟ ସରକାର ପ୍ରାୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ବସୁଧା ହେଲ୍ପଲାଇନ୍, ହ୍ୱାଟ୍ସଆପ୍ ସେବା ଓ ଡିଜିଟାଲ୍ ଗ୍ରୀଭାନ୍ସ ପ୍ଲାଟଫର୍ମ ମାଧ୍ୟମରେ ସିଟିଜେନ୍-ସେଣ୍ଟ୍ରିକ୍ ସେବାକୁ ଶକ୍ତିଶାଳୀ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୦୨୪ରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୬-୨୦୨୮ ପର୍ଯ୍ୟନ୍ତ ଜଳ ଜୀବନ ମିଶନ 2.0 ମାଧ୍ୟମରେ ସମ୍ପ୍ରସାରିତ କରାଗଲା ବୋଲି କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ। ଏହି ମିଶନ ମହିଳାଙ୍କ ଜୀବନରେ ସୁଧାର ଆଣିବ ବୋଲି ସେ କହିଛନ୍ତି

