ତିହିଡି, ୨୩.୦୩ : ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାଲାଗି ପ୍ରଚାର ପ୍ରସାରରେ ବଦ୍ଧ ପରିକର ହୋଇଥିବା ସରକାର ସଂପ୍ରତି ଠୋକେ ପିଇ ଦଣ୍ଡେ ଜିଇଁ ନ୍ୟାୟରେ ଚାଲୁଛି । ଅମଳ ଧାନକୁ ସରକାରୀ ଦରରେ ଯୋଗାଣ ବିଭାଗ ମାଧ୍ୟମରେ କିଣିବା ପାଇଁ ଯେଉଁ ସବୁ ମାଧ୍ୟମ ନେଉଥିଲା ତାହା ଏବେ ଫିକା ପଡିଛି । ମାର୍ଚ୍ଚ ମାସ ସରିବାକୁ ବସିଲାଣି, କେତେବେଳେ ଧାନ କିଣା ବନ୍ଦ ହୋଇଯିବ ତାହା ସନ୍ଦେହ ଦେଖା ଦେଉଥିବା ବେଳେ ଏବେ ଚାଷୀଙ୍କ ଟୋକନ୍ ଅବଧି ସରିଯିବା ଭୟ ଘାରିଛି । ରାତି ନପାହୁଣୁ ମଣ୍ଡିରେ ଚାଷୀଙ୍କ ଭିଡ ଜମୁଛି ।
ଧାନ କିଣା ହେଉଛି ହେଲେ ମିଲର ଲିପ୍ଟିଂ ନକରିବା ପର୍ଯ୍ୟନ୍ତ ଚାଷୀଙ୍କୁ ମିଳୁନି ଟଙ୍କା । ତେବେ ବିଗତ କିଛିଦିନ ହେଲା କାଳବୈଶାଖିର ତାଣ୍ଡବ ଲୀଳାର ସମ୍ଭାବନା ରହୁଥିବା ନେଇ ଚାଷୀଙ୍କୁ ନାକେଦମ୍ ହେବାକୁ ପଡିଲାଣି । ମଣ୍ଡିରେ ରାତିସାରା ଉଜାଗର ରହୁଛି ଚାଷୀ । କାରଣ ଚୋରୀ ସହ ବୁଲା ଷଣ୍ଢର ଆହାର ସାଜୁଛି ଧାନ । ଟୋକନ୍ ଅବଧି ମୁତାବକ ମଣ୍ଡିରେ ଧାନ ଆଣିଲେ ହେଲେ ପ୍ରଶାସନ ପକ୍ଷରୁ ଟାରଗେଟ୍ ନଥିବାରୁ ତାହାକୁ କିଣି ପାରୁନି ମଣ୍ଡି । ଟାରଗେଟର କିଛି ପ୍ରତିଶତ ଦେଇ ପ୍ରଶାସନ ଦାୟିତ୍ୱ ନିର୍ବାହ କରୁଥିବା ବେଶ ଜଣାଯାଇଛି । ସେପଟରେ ଟୋକନ୍ ଅବଧି ସରିଯିବା ଭୟରେ ମଣ୍ଡିର କର୍ତ୍ତୃପକ୍ଷ ମଧ୍ୟ ବାଉଳୁଚି ହେଉଛି ହେଲେ ଏହାର ସମାଧାନର ବାଟ ଫିଟିବାର ନାଁ ଧରୁନୁ । ଅଧିକାଂଶ ମଣ୍ଡିରେ ଗୋଦାମ ଗୃହ ନାହିଁ । ସେମାନେ ଜରିପାଲ ପକାଇ ଧାନକୁ ଆପାତତଃ ଦିନେ ଦୁଇଦିନ ଚଳେଇ ନେଉଛି । ତିନିଦିନ ହେବ ରାତିରେ ବପନ ସହ ତୁହାକୁ ତୁହା ବର୍ଷା ଧାନର ଅବସ୍ଥାକୁ ବିଗାଡି ଦେଇ ସାରିଛି । ଅଧିକାଂଶ ଧାନ ପାଣିରେ ଓଦା ହେଉଛି ଏବଂ ଶହ ଶହ ବସ୍ତା ଧାନ ଗଜା ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଏପରି ଅବସ୍ଥା ସବୁ ମଣ୍ଡିରେ ଦେଖା ଦେଉଥିବା ବେଳେ ସୋମବାର ସକାଳୁ ସିନ୍ଦୋଳ ପଞ୍ଚାୟତର ମଣ୍ଡିରେ ଚାଷୀଙ୍କ କରୁଣ ଓ ଦୁଃଖଭରା ପରିବେଶ ଦେଖିବାକୁ ମିଳିଥିଲା । ଗଜା ହୋଇଥିବା ଧାନକୁ ଚାଷୀ ଖରାରେ ଶୁଖାଉଥିବା ଦେଖିବାକୁ ମିଳିଛି । ମଣ୍ଡି କର୍ତ୍ତପକ୍ଷ ଉକ୍ତ ଧାନକୁ ନେବ ନାହିଁ ବୋଲି ସିଧାସଳଖ ମନା କରି ଦେଇଥିବା ଚାଷୀଙ୍କ ଠାରୁ ଜଣାଯାଇଛି । ତଥାପି ଚାଷୀମାନେ ଗଜା ଧାନକୁ ଶୁଖାଇ ସାଇତି ରଖିବାକୁ ଉଦ୍ୟମ ଚଳାଉଛନ୍ତି । ଅନ୍ୟପଟେ ସମ୍ବଲପୁର ମିଲ ସହିତ ଜିଲ୍ଲା ପ୍ରଶାସନ ଧାନ କିଣାନେଇ ଚୁକ୍ତି ହୋଇଛି । ଏବଂ କିଛିଦିନ ହେଲା ସେମାନେ ଧାନ କିଣିବା ଆରମ୍ଭ କରିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ପରିବହନ ଖର୍ଚ୍ଚରେ ଗାଡି ମାଲିକ ରାଜି ହେଉନାହାଁନ୍ତି । ବସ୍ତା ପିଛା ୧୦ ଟଙ୍କା ଲେଖାଏଁ ମଣ୍ଡିରେ ପୈଠ କରୁଥିବା ପ୍ରସଙ୍ଗ ପଦାକୁ ଆସୁଛି । ମିଳିଥିବା ସୂଚନା ଅନୁଯାଇ ସିନ୍ଦୋଳ ଲକ୍ଷ୍ମୀନାରାୟଣ ମହିଳା ମହାସଂଘ ପକ୍ଷରୁ ବିଗତ କିଛି ବର୍ଷ ହେବ ଧାନ କିଣା ଯାଉଛି । ଚଳିତ ବର୍ଷ ପ୍ରାୟ ୨୧ ହଜାର କ୍ୱିଣ୍ଟାଲ ଧାନ କିଣା ଯାଇଛି । ଏବଂ ଟୋକନ୍ ମୁତାବକ ଆହୁରି ୭ ହଜାର କ୍ୱିଣ୍ଟାଲ ଧାନ କିଣାଯିବ । ମଣ୍ଡିକୁ ଟାରଗେଟ୍ ମିଳିନଥିବାରୁ ଗତ ଫେବୃଆରୀ ମାସ ୨୮ ତାରିଖ ଧାନ ଏଯାଏଁ କିଣା ଯାଇନାହିଁ । ଏତତ୍ ବ୍ୟତିତ ୬ ଓ ୭ ତାରିଖର ଧାନ ମଧ୍ୟ କିଣା ଯାଇନାହିଁ । ଏହି ୩ ଦିନର ଟାରଗେଟ୍ ପ୍ରାୟ ୩, ୫୦୦ କ୍ୱିଣ୍ଟାଲ । ଏବଂ ଚଳିତ ମାସ ୨୩ ତାରିଖରେ ୬୫ ଜଣ ଚାଷୀଙ୍କ ୨,୯୦୦ କ୍ୱିଣ୍ଟାଲ ଏବଂ ୨୪ ତାରିଖ ପାଇଁ ୪୧ ଜଣ ଚାଷୀଙ୍କର ୨,୬୦୦ କ୍ୱିଣ୍ଟାଲ ରହିଛି । ସୋମବାର ସଂଧ୍ୟା ମଧ୍ୟରେ ପ୍ରାୟ ୨, ୦୦୦ କ୍ୱିଣ୍ଟାଲ ଟାରଗେଟ୍ ମିଳିବାର ଅଛି ବୋଲି ଶୁଣିବାକୁ ମିଳୁଛି । ତେବେ ଟାରଗେଟ ନମିଳିବା ଏବଂ ଟୋକନ୍ ଅବଧିର ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଏସବୁର ସମାଧାନ ହେବା ଅବସମ୍ଭାବୀ ହୋଇ ପଡିଛି । ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ସୁଧାର ଆଣିବା ଦିଗରେ ଚାଷୀ କମିଟି ଓ ଚାଷୀମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଟାରଗେଟ ନଆସିଲେ ଏବଂ ଧାନ କିଣା ନଗଲେ ଆଗାମି ଦିନରେ ଚାଷୀମାନେ ରାଜରାସ୍ତାରେ ଧାନ ରଖି ଅବରୋଧ କରାଯିବ ବୋଲି ଚେତାବନି ଦିଆଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

