ତିହିଡି, ୧୭.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଅଚକ ଓ ପାଳିଆବିନ୍ଧା ପଞ୍ଚାୟତର ମଧ୍ୟମ ସ୍ଥଳ ବରୁଣେଇସ୍ଥିତ ଗୁପ୍ତଗଙ୍ଗା ପୀଠରେ ପବିତ୍ର ବାରୁଣୀ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହା ତିନିଦିନ ଧରି ଚାଲିବ । ପ୍ରଥମ ଦିନରେ ଶହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏହି ଐତିହ୍ୟ ସମ୍ପନ୍ନ ପୋଖରୀରେ ବୁଡ ପକାଇ କରି ନିଜକୁ କୃତାର୍ଥ ମନେ କରିଛନ୍ତି । ଏଥିସହ ସଦ୍ୟ ବିବାହିତ ଦମ୍ପତିଙ୍କ ବିବାହ ସମୟରେ ବ୍ୟବହାର କରା ଯାଇଥିବା ନୋଳ, ମୁକୁଟ ଓ ପଇଡି ମଶିଣା ଏହି ପୋଖରୀରେ ବିଷର୍ଜନ କରି ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ ଅତୁଟ ରହିଛି । ପ୍ରକାଶ ଥାଉକି, ୧୯୦୫ ମସିହାରେ ଏହି ଗୁପ୍ତଗଙ୍ଗା ପୀଠରେ ବିଭିନ୍ନ ସାଧୁ ସନ୍ଥମାନେ ନିଜର ଆଶ୍ରମ ପ୍ରତିଷ୍ଠା କରି ନିଜର ଅଲୌକିକ ପ୍ରତିଭା ବଳରେ ଜନ ମାନସକୁ ଏକ ଶୁଦ୍ଧ, ପବିତ୍ର ଓ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୃଦ୍ଧ କରାଇପାରିଥିଲେ । ସନ୍ଥ ରାମାନୁଜ ଦାସ ମହାରାଜ ଏଠାରେ ନିଜର ଆଶ୍ରମ ପ୍ରତିଷ୍ଟା କରିବା ପୂର୍ବରୁ ୧୯୪୮ ମସିହାରେ ସ୍ୱପ୍ନାଦେଶ ପାଇ ‘ଗୁପ୍ତ ଗଙ୍ଗା’ର ସନ୍ଧାନରେ ଏହି ଗୁପ୍ତଗଙ୍ଗା ନାମକ ସ୍ଥାନକୁ ଚିହ୍ନଟ କରିବା ସହ ମାଟି ତଳୁ ପ୍ରଭାହିତ ଜଳର ଉତ୍ସ ଠାବ କରିଥିଲେ । ସେହିଦିନରୁ ଏଠାରେ ବାରୁଣୀ ମେଳାର ଅୟମ ଆରମ୍ଭ ହୋଇଛି । କେବଳ ବାରୁଣୀ ମେଳା ଦ୍ୱାଦଶୀ ତିଥିରେ ଗୁପ୍ତଗଙ୍ଗା ଠାରେ ଗଙ୍ଗାଙ୍କ ଅଦୃଶ୍ୟ ଝରରେ ପାଣି ବାହାରିବାର ନଜିର ରହିଛି । କିଛିବର୍ଷ ତଳେ ଏହି ପୋଖରୀର ପଙ୍କ ଉଦ୍ଧାର ସମୟରେ ଗୁପ୍ତଗଙ୍ଗାର ଝର(ଭବ)ରେ ବାହାରୁଥିବା ପାଣିକୁ ଆୟତ୍ତ କରାଯାଇ ପାରିନଥିବା ବେଳେ ସେଠାରେ ପଥର ଦେଇ ବନ୍ଦ କରା ଯାଇଥିଲା । ତଥାପି ଉକ୍ତ ପୋଖରୀରେ ଏବେବି ଆପେ ଆପେ ପାଣି ବାହାରୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସନ୍ୟାସୀମାନେ ମତବ୍ୟକ୍ତ କରିଥାନ୍ତି । ଏବଂ ଏହି ବାରୁଣୀ ତିଥିରେ ପୋଖରୀର ପାଣି ଉଛୁଳି ଥାଏ । ସରକାରୀ ଉଦାସିନତା ତଥା ପ୍ରତ୍ନତାତ୍ୱିକ ବିଭାଗର ନଜର ଆଢୁଆଳରେ ରହିଯାଇଛି ଏହି ପୀଠ । ଏହି ଆଶ୍ରମ ପରିସରରେ ବହୁ ବର୍ଷ ତଳେ କୋଣାର୍କର ଏକ ଅବିକଳ ପ୍ରତିମୂର୍ତ୍ତୀ ଓ ଆକାରରେ ଛୋଟିଆ ମନ୍ଦିରଟିଏ ନିର୍ମାଣ କରିବାକୁ ଶୁଭାରମ୍ଭ କରାଯାଇଥିଲା । ତେବେ ଏହି ମନ୍ଦିର ନିର୍ମାଣ କଲେ ବିପଦର ସମ୍ଭାବନା ରହିଛି ବୋଲି ସନ୍ଥ ରାମାନୁଜ ଦାସ ମହାରାଜଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସେବେଠାରୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ଏବଂ କିଛି ବର୍ଷ ହେବ ତାହାକୁ ଭାଙ୍ଗି ଦିଆ ଯାଇଛି । ଏହି ପୀଠରେ ଦଶମାଇ ମା’କାଳୀ, ଲକ୍ଷ୍ମୀନାରାୟଣ, ଗଣେଷ, ସରସ୍ୱତୀ, ଅନ୍ନପୂର୍ଣ୍ଣା, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ରାମ, ଲକ୍ଷ୍ମଣ ଓ ସୀତା ଦେବାଦେବୀ ଆଦି ପୂଜା ପାଉଛନ୍ତି । ଏହି ପୀଠର ଉନ୍ନତି କରଣ ଲାଗି ବିଧାୟକ ପାଣ୍ଠି ଓ ପଞ୍ଚାୟତ ପକ୍ଷରୁ କେତେକ ଉନ୍ନୟନ କାର୍ଯ୍ୟ ହାତକୁ ନିଆ ଯାଇଥିବା ବେଳେ ପାଚେରୀ ନିର୍ମାଣ କରାଗଲେ ବୁଲା ଷଣ୍ଢ ଓ ଗୃହ ପାଳିତ ପଶୁଙ୍କ ଅବାଧ ପ୍ରବେଶରୁ ମୁକ୍ତି ମିଳିବ ବୋଲି ଦାବୀ କରାଯାଇଛି । ସନ୍ଥ ରାମାନୁଜଙ୍କ ପରେ ବାବା ସୁରେଶଚନ୍ଦ୍ର ଦାସ ଏବଂ ବାବାଜୀ ବିଷ୍ଣୁମୋହନ ଦାସ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି । ଅଧୁନା ବାବା ଅଚ୍ୟୁତ ନନ୍ଦ ଦାସ ପରିଚାଳନା କରୁଛନ୍ତି । ଏହି ଅବସରରେ ଏକ ବିଶାଳ ମେଳା ଲାଗିଛି । ପ୍ରଥମ ଦିନରେ ନାହିଁନଥିବା ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ହେଲେ ଏହି ପୀଠକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ତା ଅତ୍ୟନ୍ତ୍ୟ ଶୋଚନୀୟ ହୋଇ ପଡି ରହିଛି । ମଠ ପରିଚାଳନା କମିଟିର ସଭାପତି ଗଣେଶ ପ୍ରସାଦ ବିଶ୍ୱାଳ, ସମ୍ପାଦକ ସନ୍ତୋଷ ମଲ୍ଲିକ, ରଣଜିତ ମଲ୍ଲିକ, ଭାଗିରଥି ମଲ୍ଲିକ, ସଞ୍ଜୟ ମଲ୍ଲିକ, ବ୍ରଜକିଶୋର ମଲ୍ଲିକ, ବିଭୁରଞ୍ଜନ ମଲ୍ଲିକ, ଅକ୍ଷୟ ମଲ୍ଲିକ, ବିଶ୍ୱଜିତ ଧଳ, ବିରେନ୍ଦ୍ର ମଲିକ, ଗୌରାଙ୍ଗ ମଳିକ, ଶଙ୍କର୍ଷଣ ଦଳେଇ, ଚକ୍ରଧର ପରିହାରୀଙ୍କ ପ୍ରମୁଖ ପରିଚାଳନା କରୁଛନ୍ତି । ଏପରି ଐତିହ୍ୟ ପରମ୍ପରା ସମ୍ପନ୍ନ ପୀଠକୁ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ କରି ହାତକୁ ନେବାକୁ ସାଧାରଣରେ ଦାବୀ ହେଉଅଛିି ।

