ଛତ୍ରପୁର,୧୫|୦୩ (ନିପ୍ର ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିଶ୍ୱପ୍ରସିଦ୍ଧ ଅଲିଭ ରିଡଲେ କଇଁଚଙ୍କ ସାମୂହିକ ଗଣ ଅଣ୍ଡାଦାନ ରବିବାର ଭୋର ସମୟରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ହଜାର ହଜାର କଇଁଚ ସମୁଦ୍ର ଗଭୀରତାରୁ ବେଳାଭୂମିକୁ ଆସି ଅଣ୍ଡାଦାନ କରୁଥିବା ଦୃଶ୍ୟ ପ୍ରକୃତିପ୍ରେମୀ ଓ ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।
ବନ ବିଭାଗ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦,୨୦୨ ଟି କଇଁଚ ବେଳାଭୂମିରେ ଆସି ଗଣ ଅଣ୍ଡାଦାନ କରିଛନ୍ତି। ଗଞ୍ଜାମ ବ୍ଲକର ପାଳିବନ୍ଦ ପଞ୍ଚାୟତ ଅନ୍ତର୍ଗତ ଗୋଖାରକୁଦ ଅଞ୍ଚଳରେ ନୂତନଭାବେ ସୃଷ୍ଟି ହୋଇଥିବା ଆଇଲାଣ୍ଡ ଏହି ବର୍ଷ ଅଣ୍ଡାଦାନର ପ୍ରମୁଖ ସ୍ଥଳ ଭାବେ ଚିହ୍ନଟ ହୋଇଛି। ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏପରି ଏକ ଅଇଲାଣ୍ଡ ସୃଷ୍ଟି ହୋଇଥିଲା ଓ ସେଥିରେ ମଧ୍ୟ କଇଁଚମାନେ ବ୍ୟାପକ ଭାବରେ ଅଣ୍ଡାଦାନ କରିଥିଲେ।
ପ୍ରକୃତିର ଏକ ଅଦ୍ଭୁତ ନିୟମ ଅନୁସାରେ ଏହି ବିରଳ ପ୍ରଜାତିର କଇଁଚମାନେ ରାତି କିମ୍ବା ଭୋର ସମୟରେ ବେଳାଭୂମିରେ ଆସି ସେମାନଙ୍କ ପଛ ପାର୍ଶ୍ୱରେ ଥିବା ଦୁଇଟି ପାଦ ସାହାଯ୍ୟରେ ବାଲିକୁ ଖୋଡ଼ି ଗର୍ତ୍ତ ସୃଷ୍ଟି କରନ୍ତି। ସେହି ଗର୍ତ୍ତରେ ଅଣ୍ଡା ଦେବା ପରେ ପୁଣି ବାଲି ଦେଇ ଗର୍ତ୍ତକୁ ଢାକି ଦେଇ ନିଜ ଶରୀର ସାହାଯ୍ୟରେ ସ୍ଥାନଟିକୁ ଶକ୍ତ କରିଦିଅନ୍ତି। ତାପରେ ଧୀରେ ଧୀରେ ବାଲି ଉପରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ପୁଣି ସମୁଦ୍ର ଗଭୀରତାକୁ ଫେରିଯାଆନ୍ତି। ପ୍ରାୟ ୪୫ ରୁ ୫୦ ଦିନ ପରେ ସେହି ଅଣ୍ଡାରୁ ଛୋଟ କଇଁଚ ଶିଶୁମାନେ ବାହାରି ସମୁଦ୍ରକୁ ଯାଇଥାନ୍ତି।
ଗତ ବର୍ଷ ଋଷିକୁଲ୍ୟା ମୁହାଁଣରେ ରେକର୍ଡ ସଂଖ୍ୟକ କଇଁଚ ଗଣ ଅଣ୍ଡାଦାନ କରିଥିବା ବେଳେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଠାରୁ କିଛି ଦିନ ଡେରିରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଣରୁ ଚଳିତ ବର୍ଷ କଇଁଚଙ୍କ ମୋଟ ଅଣ୍ଡାଦାନ ସଂଖ୍ୟା କେତେ ହେବ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଅନ୍ୟପଟେ, କଇଁଚମାନଙ୍କ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁଚାରୁ ଭାବରେ ସମ୍ପନ୍ନ କରିବା ପାଇଁ ବନ ବିଭାଗ ପକ୍ଷରୁ ବେଳାଭୂମିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବନ କର୍ମଚାରୀମାନେ ୨୪ ଘଣ୍ଟା ପାହାରା ଦେଉଥିବା ସହିତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କିଛି ସୀମାବଧ୍ଧତା ଲାଗୁ କରାଯାଇଛି।
ପ୍ରକୃତିର ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ପ୍ରତିବର୍ଷ ଦେଶ-ବିଦେଶର ପ୍ରକୃତିପ୍ରେମୀ, ଗବେଷକ ଓ ପର୍ଯ୍ୟଟକମାନେ ଋଷିକୁଲ୍ୟା ମୁହାଁଣକୁ ଆକୃଷ୍ଟ ହୋଇଥାନ୍ତି। ଏହା ଓଡ଼ିଶାର ପ୍ରାକୃତିକ ଐତିହ୍ୟ ଓ ପରିବେଶ ସମ୍ପଦକୁ ଆହୁରି ସମୃଦ୍ଧ କରୁଥିବା ଏକ ବିଶେଷ ଘଟଣା ଭାବେ ପରିଚିତ।

