ଭୁବନେଶ୍ୱର : KIIT ବିଶ୍ଵବିଦ୍ୟାଳୟରେ ମାର୍ଚ୍ଚ ୧୫ ରୁ ଆରମ୍ଭ ହେବ ୨୬ତମ ଯୁବ ଜାତୀୟ ଭଲିବଲ ଚାମ୍ପିଅନସିପ । ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାମ୍ପିଅନସିପ ହେବ । ଭାରତରେ ପ୍ରଥମ ଥର ପାଇଁ କିଟ ବିଶ୍ଵବିଦ୍ୟାଳୟରେ ଏକାସାଙ୍ଗରେ ୬ଟି ଇଣ୍ଡୋର କୋର୍ଟରେ ଖେଳାଯିବ ଯୁବ ଜାତୀୟ ଭଲିବଲ ଚାମ୍ପିଅନସିପ । ଭାଗ ନେବେ ୩୦ଟି ରାଜ୍ୟର ୧୨୦୦ ଯୁବ ଖେଳାଳି। କିଟ୍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଛି ଜୋରଦାର ପ୍ରସ୍ତୁତି ।
ବିଭିନ୍ନ ରାଜ୍ୟର ଖେଳାଳି ମାନେ ଆଜି ପୂର୍ବ ପ୍ରସ୍ତୁତି ମ୍ୟାଚ୍ ଖେଳିଥିଲେ। ଆସନ୍ତାକାଲି କିଟ୍ ଇଣ୍ଡୋର ଷ୍ଟାଡିୟମରେ ଏହି ଚାମ୍ପିଅନସିପ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ । ଓଡ଼ିଶା ଭଲିବଲ ଆସୋସିଏସନ ଓ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଭାରତୀୟ ଭଲିବଲ ଫେଡରେସନ ସହଭାଗିତାରେ ଏହି ଚାମ୍ପିଅନସିପ ଆୟୋଜନ କରାଯାଉଛି । ମାର୍ଚ୍ଚ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପୁରୁଷ ଓ ମହିଳା ବର୍ଗରେ ପ୍ରାୟ ୩୦ଟି ରାଜ୍ୟ ଦଳ ଏବଂ ୨ଟି ସଂସ୍ଥାଗତ ଦଳ ଅଂଶଗ୍ରହଣ କରିବେ ।
ମୋଟ୍ ୧୨୦୦ରୁ ଅଧିକ ଖେଳାଳି, ଅଧିକାରୀ ଏବଂ ଟେକ୍ନିକାଲ ଡେଲିଗେଟ୍ ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେବେ । ଉଦଘାଟନୀ ସମାରୋହରେ ଓଡ଼ିଶା ଭଲିବଲ ଆସୋସିଏସନର ସଭାପତି, କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ସେ କହିଛନ୍ତି ,ଦୀର୍ଘ ବର୍ଷ ଧରି ଆମେ ଓଡ଼ିଶାରେ ଭଲିବଲକୁ ପ୍ରୋତ୍ସାହନ ଦେଇ ଆସିଛୁ । ଭବିଷ୍ୟତରେ ଏହାକୁ ଆହୁରି ମଜବୁତ କରିବୁ । ଏହି ପ୍ରତିଯୋଗିତା ଦେଶର ଯୁବ ଭଲିବଲ ପ୍ରତିଭାଙ୍କୁ ଚିହ୍ନଟ ଓ ବିକାଶ ପାଇଁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇ ଦେବା ସହ ଓଡ଼ିଶାକୁ ଭଲିବଲ ବିକାଶ ଓ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କ୍ରୀଡ଼ା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିବ

