କୋରାପୁଟ : ପ୍ରଧାନ ଶିକ୍ଷକଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ । ୧୪ ବର୍ଷ ହେବ ଗୋଟିଏ ବିଦ୍ୟାଳୟର ଦାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ ? ନାରାୟଣପାଟଣା ବ୍ଳକ ଲଙ୍ଗଳବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ସ୍କୁଲରେ ବିଗତ ୧୪ ବର୍ଷ ହେବ ଜାମି ସତ୍ୟନାରାୟଣ ରାଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ଆସୁଥିବା ବେଳେ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ରହିଛି । କିନ୍ତୁ ୬୦ରୁ ୭୦ ବାଳିକା ରହୁଥିବା ବେଳେ ପୂର୍ଣ୍ଣ ସଂଖ୍ୟା ଦେଖାଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରକାରୀ ଅର୍ଥ ହଡପ କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।
ଯେତେ ଟଙ୍କା ହଡପ କରିଛନ୍ତି ସେ ସବୁ ଟଙ୍କା ସ୍କୁଲ ଖାତାକୁ ଫେରିଯାଉ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ । ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଏହାର ତଦନ୍ତ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ ଗ୍ରାମବାସୀ । ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ କରିବାକୁ ଗଠିତ କମିଟି ବିଦ୍ୟାଳୟକୁ ଯାଇଥିଲେ କିନ୍ତୁ ଅଭିଯୋଗକାରୀଙ୍କୁ କମିଟିରେ ସାମିଲ କରାଗଲା ନାହିଁ । ତେବେ ଶିକ୍ଷକଙ୍କୁ ତୁରନ୍ତ ବଦଳି କରି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

